Home Uncategorized ଆକାଶରେ ଏକାସାଙ୍ଗେ ଦୃଶ୍ୟମାନ ହେଲା ବ୍ଲୁ , ବ୍ଲଡ୍ ଓ ସୁପର୍ ମୁନ୍

ଆକାଶରେ ଏକାସାଙ୍ଗେ ଦୃଶ୍ୟମାନ ହେଲା ବ୍ଲୁ , ବ୍ଲଡ୍ ଓ ସୁପର୍ ମୁନ୍

0
ଭୁବନେଶ୍ୱର: ଆଜି ମହାକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ ।  ଏସିଆରେ ଦୀର୍ଘ ୩୫ ବର୍ଷ ପରେ ବ୍ଲୁ ମୁନ୍, ସୁପର୍‌ ମୁନ୍ ଓ ବ୍ଲଡ୍ ମୁନ୍‌କୁ ଲୋକେ ଏକାସଙ୍ଗେ ଦେଖୁଛନ୍ତି ।  ସଂଧ୍ୟା ୫ଟା ୧୮ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇଛି । ଏହା ଶେଷ ହେବ ରାତି ୮ଟା ୩୭ ମିନିଟରେ । ଏହି ମହାଜାଗତିକ ଦୃଶ୍ୟ ଭାରତ ସମେତ ସାରା ବିଶ୍ୱରେ ଦୃଶ୍ୟମାନ ହେଉଛି ।  ନାସା ପକ୍ଷରୁ ଲଗାତାର ଏହି ଅଲୌକିକ ଦୃଶ୍ୟର ଫଟୋ ପ୍ରସାରିତ ହେଉଛି । ଦୀର୍ଘ ୧୫୦ ବର୍ଷ ପରେ ଏଭଳି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିବାରୁ ଏଥିପାଇଁ ବିଜ୍ଞାନୀ ଓ ଗବେଷକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି । ଗୋଟିଏ ପଟେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଅନ୍ୟ ପଟେ ଚନ୍ଦ୍ର ଓ ପୃଥିବୀ ପରସ୍ପରର ନିକଟତର ହୋଇଥିବାରୁ ବଡ଼ ଓ ଉଜ୍ୱଳ ଜହ୍ନ ବା ସୁପରମୁନ୍ ଦେଖିବାକୁ ମିଳିଛି । ଓଡ଼ିଶାରେ ଏହାକୁ ନେଇ ଅତ୍ୟନ୍ତ ଆଗ୍ରହ ପ୍ରକାଶ ପାଇଛି । ଏହାକୁ ଦେଖିବା ପାଇଁ ଲୋକମାନେ ଖୋଲାସ୍ଥାନମାନଙ୍କରେ ଜମା ହୋଇଥିବା ଦେଖାଯାଇଛି । ବିଭିନ୍ନ ଦୃଷ୍ଟି କୋଣରୁ ଏହା ଏକ ଅତି ବିରଳ ମହାଜାଗତିକ ଘଟଣା, କାରଣ ପ୍ରଥମତଃ ବ୍ଲୁମୁନ ବା ନୀଳ ଜହ୍ନ, ଦ୍ୱିତୀୟରେ ,ସୁପର ମୁନ ବା ବଡ଼ ଜହ୍ନ ଓ ତୃତୀୟରେ ବ୍ଲଡ ମୁନ ବା ଲୋହିତ ଜହ୍ନ । ଏଣୁ ତିନୋଟି ମହାଜାଗତିକ ଘଟଣା ଏକାଠି ହୋଇଛି । ଏହାକୁ କୁହାଯାଉଛି ସୁପର ବ୍ଲୁ ବ୍ଲଡ ମୁନ ବା ବିଶାଳ ନୀଳ ଲୋହିତ ଜହ୍ନ । ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡିଲେ ତାହାକୁ ବ୍ଲୁ ମୁନ ବା ନୀଳ ଜହ୍ନ କୁହାଯାଏ । ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟକୁ ଆସିଲେ ତାହା ଟିକିଏ ବଡ଼ ଦେଖାଯାଏ । ଏହାକୁ ସୁପର ମୁନ ବା ବିଶାଳ ଜହ୍ନ ବୋଲି କୁହାଯାଏ । ପୂର୍ବରୁ ୧୯୮୨ରେ ଏପରି ଘଟଣା ଘଟିଥିଲା ଓ ଆଉ ଏକ ଏପରି ଘଟଣା ୨୦୩୭ରେ ଅନୁଷ୍ଠିତ ହେବ ।