Home Uncategorized ଆଜି ନୂଆଖାଇ ! ଉତ୍ସବମୁଖର ପଶ୍ଚିମ ଓଡିଶା, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ

ଆଜି ନୂଆଖାଇ ! ଉତ୍ସବମୁଖର ପଶ୍ଚିମ ଓଡିଶା, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ

0
ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁ ଖାଇଛନ୍ତି । ନୂଆ ଧାନରୁ ପ୍ରସ୍ତୁତ ହୋଇଥିବା ନବାନ୍ନ ସକାଳ ୯ଟା ୦୫ରେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହୋଇଛି । ଏହାପରେ ଘରେ ଘରେ ସମସ୍ତେ ନୂଆଁ ଖାଇଛନ୍ତି । ଏହାପରେ ଘରର ପୁରୁଖା ଲୋକମାନଙ୍କୁ ସାନମାନେ ନୂଆଖାଇ ଜୁହାର କରିଛନ୍ତି । ଏହାପରେ ନୂଆଖାଇ ଭେଟଘାଟ ଆରମ୍ଭ ହୋଇଛି । ନୂଆଖାଇ ପାଇଁ  ଘରେ ଘରେ ପିଠାପଣାର ଆସର । ଖିଆପିଆ ସାଙ୍ଗକୁ ନାଚଗୀତରେ ଦୁଲୁକୁଛି ଗାଁରୁ ସହର । ଘରେ ଘରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆଖାଇ ପାଳୁଛନ୍ତି । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ବଲାଙ୍ଗିରରେ ମାଆ ସମଲେଶ୍ୱରୀ ଓ ପାଟଣାଗଡ଼ର ପାଟଣେଶ୍ୱରୀ ପୀଠରେ ୯ଟା ୩୫ରୁ ୧୧ଟା ୩୧ ମଧ୍ୟରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ  କରାଯାଇଛି । ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ଟୁଇଟ୍‌ କରି ନୂଆଁଖାଇର ଶୁଭକାମନା ଜଣାଇଛନ୍ତି । ନୂଆ ଧାନ୍ ସାଙ୍ଗେ ନୂଆ ଆଶା, ଉସତ୍ ଆର୍ ଭାଇଚାରାରେ ପାଲନ୍ କରୁନ୍ ନୂଆଁଖାଇ । ଇ ଉପଲକ୍ଷେ ସମସ୍ତଙ୍କୁ ମୋର୍ ନୂଆଁଖାଇ ଜୁହାର୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।     ସେହିପରି କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଖାଇ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ମା’ ସମଲେଶ୍ୱରୀ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି, ‘‘ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଓ ମା ସମଲେଇଙ୍କ ନିକଟରେ ପ୍ରାର୍ଥନା  ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ’।