Home Uncategorized ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବମୁଖର ସାରା ରାଜ୍ୟ

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବମୁଖର ସାରା ରାଜ୍ୟ

0
ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏଥିପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ ।   ବିଘ୍ନ ବିନାଶକଙ୍କ ଆରାଧନା ଲାଗି ଗାଁଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ । ସବୁଠି ଭିନ୍ନଭିନ୍ନ ମଣ୍ଡପରେ ଶୋଭା ପାଉଛନ୍ତି ଗଜାନନ । ତା’ ସାଙ୍ଗକୁ ଆଖି ଝଲସା ତୋରଣ ଓ ରଙ୍ଗୀନ ସାଜସଜ୍ଜା ମଧ୍ୟ ହୋଇଛି ।  ବିଶେଷକରି ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ  ଗଣେଶ ଚତୁର୍ଥୀ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି । ସମଗ୍ର ବିଶ୍ୱରେ ହିନ୍ଦୁମାନେ ଗଣେଶ ପୂଜା ଉତ୍ସବ ପାଳନ କରୁଥିବାବେଳେ ଓଡ଼ିଆମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇରହିଛି । ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି ।ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହା ଏକ ଶୁଭ ଅବସର ଯେଉଁଦିନ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି । ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀମାନଙ୍କରେ ଆୟୋଜିତ ହୁଏ । ଗଣେଶ ଚତୁର୍ଥୀ ଉପଲକ୍ଷେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜଧାନୀ ଭୁବନେଶ୍ୱର ।  ଗଳିକନ୍ଦିରେ ସୁସଜ୍ଜିତ ତୋରଣରେ ସଜେଇ ହୋଇଛି ରାଜଧାନୀ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ରାଜଧାନୀର ବିଭିନ୍ନ ପୂଜା ପେଣ୍ଡାଲରେ ଗଜାନନଙ୍କ ହୋମ ଯଜ୍ଞ ଚାଲିଛି । ଭୁବନେଶ୍ୱରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ୨୧ ମୁଣ୍ଡ ଓ ୪୨ ହାତ ବିଶିଷ୍ଟ ୧୮ ଫୁଟ ଉଚ୍ଚ ଗଣେଶ । ସେହିଭଳି କଟକ ସହରରେ ମଧ୍ୟ ବେଶ୍ ଧୂମ୍‌ଧାମ୍‌ରେ ଗଣେଶ ପୂଜା ପାଳନ କରାଯାଉଛି । ପୂଜାମଣ୍ଡପଗୁଡ଼ିକରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇଗଲାଣି । ତାଳଚେରରେ ମଧ୍ୟ ୧୦୦ରୁ ଅଧିକ ସ୍ଥାନରେ ଗଣେଶ ପୂଜା ହେଉଥିବା ସୂଚନା ମିଳିଛି । ତାଳଚେର ଗଣେଶ ପୂଜାର ସବୁଠାରୁ ଆକର୍ଷଣୀୟ ହେଉଛି ଲଡୁ ନିଲାମ୍‌ । ଉଦ୍‌ଯାପନୀ ସମାରୋହରେ ଏହା ନିଲାମ ହୋଇଥାଏ । ଖୋର୍ଦ୍ଧା ଜଟଣୀରେ ପ୍ରାୟ ୨୫୦ରୁ ଅଧିକ ମଣ୍ଡପରେ ୧୨ ଦିନ ଧରି ଗଣେଶ ପୂଜା ଚାଲିବ । ସୀତାରାମ ଛକ, ଥାନା ଛକ, ଷ୍ଟେସନ୍‌ ବଜାର, କୁଦିଆରି ଓ ହରିଭାଇନା ଛକରେ ଆକର୍ଷଣୀୟ ଗଣେଶ ପ୍ରତିମା ତିଆରି ହୋଇଛି । ପୂଜା କମିଟିମାନଙ୍କ ଦ୍ୱାରା ଏଲଇଡି ଲାଇଟ୍‌ ଓ ଡିଜେ ସାଉଣ୍ଡ ସହିତ ବିଭିନ୍ନ ପ୍ରକାର ସାଂସ୍କୃତି କାର୍ଯ୍ୟକ୍ରମର ଆୟୋଜନ ପାଇଁ ପ୍ରସ୍ତୁତି ହୋଇଛି । ଏହି ଅବସରରେ ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମରେ ମେଳା ଓ ଯାତ୍ରାରେ ଆୟୋଜନ ମଧ୍ୟ କରାଯାଇଛି ।