Home Uncategorized ଆଜି ପବିତ୍ର ବିଶ୍ୱକର୍ମା ପୂଜା, ଉତ୍ସବମୁଖର ସାରା ରାଜ୍ୟ

ଆଜି ପବିତ୍ର ବିଶ୍ୱକର୍ମା ପୂଜା, ଉତ୍ସବମୁଖର ସାରା ରାଜ୍ୟ

0
ଭୁବନେଶ୍ୱର: ଆଜି ପବିତ୍ର ବିଶ୍ୱକର୍ମା ପୂଜା । ଭଗବାନ ବିଶ୍ୱକର୍ମାଙ୍କ ପୂଜାରେ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର, ପାରାଦୀପ ଓ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ପୂଜା କରାଯାଉଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ  ସୁନ୍ଦର ମୂର୍ତ୍ତୀ ଓ ତୋରଣ ନିର୍ମାଣ କରାଯାଇଛି । ପାରାଦୀପରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ପୂଜାର ଆୟୋଜନ କରିଛନ୍ତି । ପାରାଦୀପରେ ବିଶ୍ୱକର୍ମା ପୂଜା ସାତଦିନ ଧରି ପାଳନ କରାଯାଏ । ସେହିଭଳି ବିଶ୍ୱକର୍ମା ପୂଜା ପାଇଁ ଅନୁଗୁଳ ସହର ମଧ୍ୟ ଉତ୍ସବମୁଖର ହୋଇଛି । ନାଲକୋ ନଗରରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୂଜା ମଣ୍ଡପରେ ବିଶ୍ୱକର୍ମା ପୂଜା କରାଯାଉଛି । ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ  ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ହିନ୍ଦୁ ଧର୍ମ ଅନୁଯାୟୀ, ପୂରା ବିଶ୍ୱ ହେଉଛି ଭଗବାନ ବିଶ୍ୱକର୍ମାଙ୍କ ମାନସ ସନ୍ତାନ । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡର ନିର୍ମାଣ ହୋଇଛି । କେବଳ ଏତିକି ନୁହେଁ ଲଙ୍କାପତି ରାବଣ ବିଶ୍ୱକର୍ମାଙ୍କୁ ସନ୍ତୁଷ୍ଟ କରି ସୁନାର ଲଙ୍କା ତାଙ୍କ ହାତରେ ନିର୍ମାଣ କରାଇଥିଲେ । ଏହାଛଡା ପୁଷ୍ପକ ବିମାନ, ଇନ୍ଦ୍ରଙ୍କ ବଜ୍ର, ଭଗବାନ ଶିବଙ୍କ ପାଇଁ ତ୍ରିଶୁଳ ଓ ପାଣ୍ଡବଙ୍କ ରହିବା ପାଇଁ ଇନ୍ଦ୍ରପ୍ରସ୍ଥ ନଗର ବିଶ୍ୱକର୍ମାଙ୍କ ଆର୍ଶୀବାଦରୁ ସୃଷ୍ଟି । ଏସବୁ ବାଦ୍ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଦ୍ୱାରିକା ନଗରୀର ସ୍ଥାପନା କରିଥିଲେ ବିଶ୍ୱକର୍ମା ।  ଆଦିକାଳରୁ ବିଶ୍ୱକର୍ମା ନିଜ ବିଶିଷ୍ଠ ଜ୍ଞାନ ଓ ବିଜ୍ଞାନ କାରଣରୁ ମଣିଷ ସମାଜ ତଥା ଦେବତାଗଣଙ୍କ ଦ୍ୱାରା ପୂଜିତ ହୋଇ ଆସୁଛନ୍ତି ।ସେଥିପାଇଁ ଏହି ଦିନ ଯନ୍ତ୍ରପାତି ବ୍ୟବହାର ଓ କଳକାରାଖାନା ଆଦି ସ୍ଥାନରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ।