Home ଓଡିଶା ଆଜି ପ୍ରଥମାଷ୍ଟମୀ, ଉତ୍ସବମୁଖର ସାରା ରାଜ୍ୟ

ଆଜି ପ୍ରଥମାଷ୍ଟମୀ, ଉତ୍ସବମୁଖର ସାରା ରାଜ୍ୟ

ଆଜି ପ୍ରଥମାଷ୍ଟମୀ । ଉତ୍ସବମୁଖର ସାରା ରାଜ୍ୟ । ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଏହା ଓଡିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ , କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ନାମିତ । ଅତୀତରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରତମ ମାସର ପ୍ରତମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି ।  ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି  ପୂଜାବିଧି ଆୟୋଜନ କରାଯାଇଥାଏ ।  ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା । କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ହଳଦୀ ପତ୍ର ପିଠାର ବିଶେଷ ମହତ୍ଵ ରହିଥାଏ । ଛେନା, ଗୁଡ଼, ନଡ଼ିଆପୁର, ଉଆପକ୍ଷିଆ ଚାଉଳ, ବିରି ଏବଂ ହଳଦୀ ପତ୍ରରେ ଏହି ପିଠା ପ୍ରସ୍ତୁତ କରାଯାଏ । ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ, ରୁଚିକର ଓ ସୁବାସଯୁକ୍ତ ହୋଇଥାଏ । ଏକ ଅଥାରହାଣ୍ଡି ଉପରେ ହଳଦୀ ପତ୍ରରେ ପୂରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ । କିଛି ସମୟ ପରେ ପିଠା ସିଝିଗଲେ, ତାକୁ କାଢ଼ି ଅଣାଯାଏ । ଧନୀ-ଗରିବ ନିର୍ବିଶେଷରେ ପ୍ରଥମାଷ୍ଟମୀ ପର୍ବଟି ଓଡ଼ିଶାର ଘରେ ଘରେ ପାଳିତ ହୋଇଥାଏ ।