ପୁରୀ :ଶ୍ରୀମନ୍ଦିରରେ ଆଜି ପୌଷ ପୂର୍ଣ୍ଣିମା ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେର ରୀତିନୀତି ଅନୁସାରେ ଚତୁର୍ଦ୍ଧା ବିଗ୍ରହଙ୍କର ସୁନାବେଶ ବା ରାଜଧିରାଜ ବେଶ ଅନୁଷ୍ଠିତ ହେଉଛି । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଶ୍ରୀଜୀଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀମନ୍ଦରରେ ଶ୍ରୀଜିଉଙ୍କ ଏହି ଅପୂର୍ବ ସୁନାବେଶ ଦର୍ଶନ କରିଛନ୍ତି ।
ପୌରାଣିକ ତଥ୍ୟ ଅନୁଯାୟୀ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ସିଂହାସନରେ ଅଭିଷିକ୍ତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ପୌଷ ପୂର୍ଣ୍ଣିମା ଦିନ ସକାଳ ଧୂପ ପରେ ୧୦୮ ଗରା ଘିଅ ମିଶ୍ରିତ ଜଳରେ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ । ଏହାପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତ୍ତାକର୍ଷକ ସୁନାବେଶ ଅନୁଷ୍ଠିତ ହୋଇଥାଏ । ବର୍ଷକ ମଧ୍ୟରେ ହେଉଥିବା ପାଞ୍ଚଥର ସୁନାବେଶ ମଧ୍ୟରୁ ଏହି ସୁନାବେଶ ଅନ୍ୟତମ ।
ପୌଷ ପୂର୍ଣ୍ଣିମା ଲାଗି ନୀତି ନିର୍ଘଣ୍ଟ ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଥିଲା । ଭୋର ୫ଟାରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ବଢିବା ପରେ ପୂର୍ବାହ୍ନ ୧୧ଟା ୧୫ରେ ମହାଲକ୍ଷ୍ମୀ ବିଜେ, ୧୧ଟା ୩୦ରୁ ଅପରାହ୍ନ ୧ଟା ମଧ୍ୟରେ ଶ୍ରୀପୟର ଲାଗି ଅଭିଷେକ ବେଶ, ୧ଟା ୪୫ରେ ଭୋଗମଣ୍ଡପ, ଅପରାହ୍ନ ୪ଟା ୩୫ରେ ଆଜ୍ଞାମାଳ ପାଇ ରଘୁନାଥଦେବ ଲକ୍ଷ୍ମୀ ମନ୍ଦିରକୁ ବିଜେ, ୫ଟାରେ ଭୋଗମଣ୍ଡପ ଶେଷ, ରାତି ୭ଟା ୩୦ରେ ସନ୍ଧ୍ୟା ଆଳତି, ୧୦ଟାରେ ଅଭିଷେକ ନୀତି ଶେଷ, ସାଢେ ୧୧ଟାରେ ବଡ଼ସିଂହାର ଭୋଗ ସରି ରାତି ୧୨ଟାରେ ରାତ୍ର ପହୁଡ ହେବ ।