ପୁରୀ- ମହାପ୍ରଭୁଙ୍କ ସୁନାବେଶ ପରେ ଆଜି ରଥ ଉପରେ ହେବ ଅଧରପଣା ନୀତି । ଆଜି ଅଧରପଣା ନୀତି ସହ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ । ଅଧରପଣା ପାଇଁ କୁମ୍ଭକାରମାନେ ସ୍ୱତନ୍ତ୍ର ହାଣ୍ଡି ପ୍ରସ୍ତୁତ କରିଥାନ୍ତି । କୁମ୍ଭ ଆକୃତି ମାଟି ହାଣ୍ଡିରେ କ୍ଷୀର, କଦଳୀ, ଛେନା, ଗୋଲମରିଚ, ଜାଇଫଳ ଓ କର୍ପୂର ଆଦି ମିଶ୍ରିତ ପଣାକୁ ପଞ୍ଚ ଉପଚାରରେ ପୂଜା କରାଯିବ । ପଣା ହାଣ୍ଡିକୁ ତିନି ରଥ ପୋଖରିଆ ଉପରେ ପୂଜା ପରେ ପରେ ଭଙ୍ଗା ଯିବ । ବିଶ୍ୱାସ ରହିଛି ଅଶରୀରୀମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧର ପଣା ହାଣ୍ଡି ଭଙ୍ଗା ଯାଇଥାଏ । ଅଧର ପଣା ଲାଗି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ମଙ୍ଗଳ ଆଳତି, ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରେ ଗୋପାଳ ବଲ୍ଲଭ, ୧୧ଟା ୩୦ରେ ସକାଳ ଧୂପ, ୧ଟା ୩୦ରେ ମହାସ୍ନାନ ସର୍ବାଙ୍ଗ, ୨ଟାରେ ବେଶ ଶେଷ, ୩ଟା ୩୦ରେ ମଧ୍ୟାହ୍ନ ଧୂପ ଏବଂ ରାତି ଆଠଟା ବେଳେ ଅଧର ପଣା ନୀତି ଶେଷ ହେବାକୁ ନୀତି ନିର୍ଘଣ୍ଟ ହୋଇଛି ।