Home ମନୋରଞ୍ଜନ ଆଜି ରିଲିଜ ହେବ ‘ସୁର୍‌ମା’

ଆଜି ରିଲିଜ ହେବ ‘ସୁର୍‌ମା’

ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ହିନ୍ଦୀ ବାୟୋଗ୍ରାଫିକାଲ ସ୍ପୋର୍ଟସ ଡ୍ରାମା ଫିଲ୍ମ ‘ସୁର୍‌ମା’। ଭାରତୀୟ ଜାତୀୟ ହକିଦଳର ଲୋକପ୍ରିୟ ହକି ଖେଳାଳୀ ସନ୍ଦୀପ ସିଂଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାଦ୍‌ ଅଲ୍ଲୀ। ସି.ଏସ୍‌. ଫିଲ୍ମସ ଏବଂ ସୋନୀ ପିକ୍‌ଚର୍ସ ନେଟ୍‌ଓ୍ବାର୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ରହିଛନ୍ତି ଦିଲ୍‌ଜିତ ଦୋସାଞ୍ଝ ଓ ତାପସୀ ପନ୍ନୁ। ସନ୍ଦୀପଙ୍କ ଭୂମିକାରେ ଦିଲ୍‌ଜିତ ଅଭିନୟ କରିଥିବା ବେଳେ ତାଙ୍କ ସ୍ତ୍ରୀ ହର୍‌ପ୍ରୀତଙ୍କ ଭୂମିକାରେ ତାପସୀଙ୍କୁ ଦେଖିବାକୁ ମିଳିବ। ସେହିଭଳି ଅନ୍ୟାନ୍ୟ ମୁଖ୍ୟ ଚରିତ୍ରରେ ଅନଙ୍ଗ ବେଦୀ, ସିଦ୍ଧାର୍ଥ ଶୁକ୍ଳା, କୁଳଭୂଷଣ ଖରବନ୍ଦା, ପୀତବାସ, ବିଜୟ ରାଜ, ହେରୀ ଟାଙ୍ଗରି ପ୍ରମୁଖ ନଜର ଆସିବେ। ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତ୍‌ ସନ୍ଦୀପ ସିଂ ୨୦୦୬ରେ କିଭଳି ଏକ ଆକ୍ସିଡେଣ୍ଟାଲ ଗନ୍‌ସଟ୍‌ର ଶିକାର ହୋଇଥିଲେ ଏବଂ ଏହାପରେ ପାରାଲାଇଜ୍‌ ହୋଇ ଦୁଇବର୍ଷ ଧରି ହୁଇଲ୍‌ଚେୟାରରେ କଟାଇଥିଲେ, ତାଙ୍କର ଏହି ସଂଘର୍ଷପୂର୍ଣ୍ଣ କାହାଣୀକୁ ଫିଲ୍ମ ମାଧ୍ୟମରେ ଦର୍ଶାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସବୁ ପ୍ରତିବନ୍ଧକ ସତ୍ତ୍ୱେ ନିଜର ଦୃଢ଼ ମନୋବଳ ଯୋଗୁ ସନ୍ଦୀପ କିଭଳି ନିଜ ଗୋଡ଼ରେ ପୁଣିଥରେ ଛିଡ଼ା ହେଉଛନ୍ତି ଏବଂ ୨୦୦୮ରେ ଅନ୍ତର୍ଜାତୀୟ ହକିକୁ ଫେରୁଛନ୍ତି, ତାହା ଏଥିରେ ଦେଖିବାକୁ ମିଳିବ। ଅଧିନାୟକ ଭାବେ ତାଙ୍କ ନେତୃତ୍ୱରେ ୨୦୦୯ରେ ଭାରତ ସୁଲତାନ୍‌ ଅଜଲାନ୍‌ ଶାହା କପ୍‌ ଜିତିଥିବା ବେଳେ ୨୦୧୨ ଅଲମ୍ପିକ୍ସକୁ ଭାରତ ଯୋଗ୍ୟ ବିବେଚିତ ହେବା ମଧ୍ୟ ନିର୍ଦ୍ଦେଶକ ଫିଲ୍ମରେ ଦେଖାଇଛନ୍ତି।