Home ଅପରାଧ ଆତ୍ମସମର୍ପଣ କଲେ ୯ଜଣ ମାଓବାଦୀ

ଆତ୍ମସମର୍ପଣ କଲେ ୯ଜଣ ମାଓବାଦୀ

0

ଓଡ଼ିଶା- ଆନ୍ଧ୍ର ସୀମାନ୍ତରେ ମାଓବାଦୀ ସକ୍ରିୟ ରହିଥିବାରୁ ଉଭୟ ରାଜ୍ୟ ପକ୍ଷରୁ ମିଳିତ କମ୍ବିଂ ଅପରେସନ୍‌ କରାଯାଉଛି । ମିଳିତ ଅପରେସନ୍‌ ମଧ୍ୟ ଜାରି ରହିବ ବୋଲି ସୂତ୍ରରୁ ଜଣାଯାଇଛି । ଦୁଇ ରାଜ୍ୟରେ ମଧ୍ୟ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖାଯାଉଛି । ଯାହା ଜଣାପଡୁଛି, ମାଓବାଦୀ ସଙ୍ଗଠନରେ ବର୍ତ୍ତମାନ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ । ବୁଧବାର ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସୀମାନ୍ତ ଆନ୍ଧ୍ର ପ୍ରଦେଶର ନରସିପଟନମ୍‌ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ମଧ୍ୟରେ ୩ ପୁରୁଷ ଥିବାବେଳେ ୬ ମହିଳା ଅଛନ୍ତି । ସେମାନେ ହେଲେ ବବଲି ରାଜୁ (୨୫), ଭି.ଭି ରାନ୍ନା (୪୫), ଜରଥା ବାଲାରାଜୁ (୪୮), ପାଙ୍ଗି ମାଗେ (୪୫), ଜେ.ଗାଙ୍ଗାମା (୪୦), କାକୁରି ନାରାୟାଣମା (୪୦), କାକୁରି ପାର୍ବତୀ (୪୦), ଜେ.ସୀତାମା (୪୦), କାକୁରି ଲକ୍ଷ୍ମୀ (୩୫) । ସେମାନେ ଗତ ୧୫ବର୍ଷ ଧରି ମାଓବାଦୀ ସଙ୍ଗଠନରେ ଜଡିତ ହୋଇ କାମ କରିଆସୁଥିଲେ । ମାଓନେତା କେ.ଭେଙ୍କେଟ ରାଓ ଓରଫ ରବି ଓରଫ ଗୋପାଳ ସେମାନଙ୍କୁ ମାଓ ସଙ୍ଗଠନରେ ସାମିଲ କରିଥିବା ଆତ୍ମସମର୍ପଣବେଳେ ସେମାନେ କହିଛନ୍ତି । ପୋଲିସକୁ ସେମାନେ ସୂଚନା ଦେଇଛନ୍ତି ମାଓବାଦୀ ସଙ୍ଗଠନ ଆଗଭଳି ମୁଖ୍ୟ ଉଦ୍ଦେଶ୍ୟ ନେଇ କାମ କରୁନାହିଁ । ସଙ୍ଗଠନରେ ପାତର ଅନ୍ତର, ଭେଦଭାବ ଓ ନିର୍ଯାତନା ବଢିଯାଇଛି । ଏହି କାରଣରୁ ସେମାନେ ସଙ୍ଗଠନ ଛାଡି ଦେଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ମାଓବାଦୀ ଏହି ସଙ୍ଗଠନ ଛାଡିଦେବେ ବୋଲି ସେମାନେ କହିଛନ୍ତି । ଆତ୍ମସମର୍ପଣ କରିଥିବା ଏହି ସମସ୍ତ ମାଓବାଦୀଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପୋଲିସ କହିଛି

LEAVE A REPLY

Please enter your comment!
Please enter your name here