Home ଓଡିଶା ଆସନ୍ତାକାଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଆସନ୍ତାକାଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି  ରାସ୍ତାକୁ ଓହ୍ଲାଇଥିଲା ବିଜୁ ଜନତା ଦଳ ।  ତେବେ ଗତକାଲି ରାଜ୍ୟବ୍ୟାପି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ କରାଇବାକୁ ବିଜେଡ଼ି ପକ୍ଷରୁ କୁହାଯାଇଥିଲାବେଳେ ଆଜି ତାହାର ଓଲଟା ରୂପ ଦେଖିବାକୁ ମିଳିଥିଲା । ହରତାଳ ନାଁରେ ବିଜେଡି ସମର୍ଥକଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା । ବିଜେଡି କର୍ମୀମାନେ ପ୍ରତିବାଦ ନାମରେ ଉତ୍ପାତ କରୁଥିଲେ । ଆନ୍ଦୋଳନକାରୀଙ୍କ ଆକ୍ରୋଶରୁ ବର୍ତ୍ତିନଥିଲେ ରୋଗୀ କି ପଥଚାରୀ । ତେବେ ବିଜେଡିର ଗୁଣ୍ଡାରାଜକୁ ବିରୋଧ କରି କାଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ ହେବ ବୋଲି ଏକ ସାମ୍ବାଦିକ ସମ୍ମୀଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ବିଜେଡି ପକ୍ଷରୁ  ସୋମବାର ହୋଇଥିବା ହରତାଲ ବିରୋଧରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି । ବିଜେପି କହିଛି, ବିଜେଡି କର୍ମୀମାନେ ଆନ୍ଦୋଳନ ନାମରେ ଲୋକଙ୍କୁ ହଇରାଣ ଓ ଆକ୍ରମଣ କରୁଥିଲେ । ରାଜରାସ୍ତାରେ ସେମାନେ ଗୁଣ୍ଡା ପାଲଟି ଯାଇଥିଲେ । ପ୍ରକୃତ ପକ୍ଷେ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ନ ଥିଲା, ବରଂ ଏହା ଲୋକଙ୍କୁ ହଇରାଣ କରିବା ପାଇଁ ଏକ ଶ୍ରେଷ୍ଠ ମାଧ୍ୟମ ଭାବେ ବାଛି ନେଇଥିଲା । ରାଜଧାନୀ ଭୁବନେଶ୍ୱର ମୁଖ୍ୟ ଛକମାନଙ୍କରେ ବିଜେଡି କର୍ମୀମାନେ ରୋଗରେ ପୀଡ଼ିତ ଲୋକଙ୍କୁ ହସ୍ପିଟାଲ ଯିବାକୁ ମଧ୍ୟ ଦେଉ ନ ଥିଲେ ବୋଲି ବିଜେପି କହିଛି ।   ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସମସ୍ତ ଜିଲ୍ଲାର ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହେବ । ଭୁବନେଶ୍ୱରରେ ଡିସିପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ହେବ ବୋଲି  ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।