Home ଦେଶ ବିଦେଶ ଏମ୍ସରେ ଜଗାବଳିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଏମ୍ସରେ ଜଗାବଳିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

0
ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଏମ୍ସରେ ଆଜି କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୧୨ଟା ୩୦ ମିନିଟ୍‌ରେ ସେଠାରେ ପହଞ୍ଚି ସେ ପ୍ରଥମେ ଏମ୍‌ସ୍‌ର ନିର୍ଦେଶକ ରଣଦୀପ ଗୁଲେରିଆ ଏବଂ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଭେଟିଥିଲେ । ପିଲା ଦୁହିଁଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ସେମାନଙ୍କ ଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ । ଜଗା ବଳିଆଙ୍କ ଚିକିତ୍ସା ସକାଶ ଏମ୍‌ସ୍‌ ଡାକ୍ତରମାନେ କରିଥିବା ପ୍ରଚେଷ୍ଟା ପାଇଁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ତା’ପରେ ଓ୍ଵାର୍ଡକୁ ଯାଇ ଜଗା-ବଳିଆଙ୍କୁ ଦେଖି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।  ଜଗାକୁ ହାତ ହଲାଇ ମୁଖ୍ୟମନ୍ତ୍ରୀ ଡାକିବା ପରେ ଜଗା ମଧ୍ୟ ହାତ ହଲାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ବାଏ ବାଏ କରିଥିଲା ଜଗା । ଏହାପରେ ଜଗାବଳିଆଙ୍କ ବାପାମାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅନୁସାରେ ଅଧିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।ସାରା ଓଡିଶା ଏହି ଯାଆଁଳା ଭାଇଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରୁଛନ୍ତି ବୋଲି ମଧ୍ୟ ସେମାନଙ୍କୁ ନବୀନ କହିଥିଲେ । ଅନ୍ୟପଟେ ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ସହ ବିପଦମୁକ୍ତ ହୋଇଥିବା କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଭେଂଟିଲେଟରରୁ ବଳିଆକୁ ବାହାର କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ଗୋଟିଏ ମାସ ପରେ ବଳିଆ ଗତକାଲି ଭେଂଟିଲେଟରରୁ ବାହାରିଛି । ତାକୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ଆଇସିୟୁରେ ତାକୁ ନାକବାଟେ ମହୁ ଓ କ୍ଷୀର ଦିଆଯାଉଥିବା ବେଳେ ଜଗାର ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସନ୍ତୋଷ ଜନକ ଉନ୍ନତି ଆସିଛି ।