Home ଓଡିଶା ଓଡିଶାକୁ ଗରିବ କହି ଅମିତ ଶାହା ରାଜ୍ୟକୁ ପରିହାସ କରୁଛନ୍ତି: ବିଜେଡି

ଓଡିଶାକୁ ଗରିବ କହି ଅମିତ ଶାହା ରାଜ୍ୟକୁ ପରିହାସ କରୁଛନ୍ତି: ବିଜେଡି

ଭୁବନେଶ୍ୱର: ୨୦୧୯ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ବିଜେପି ଓ ବିଜେଡି ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ ଚାଲିଛି ।  ଅମିତ୍ ଶାହା ଆଜି ତାଙ୍କ ଗସ୍ତର ଶେଷ ଦିନରେ ଜନତା ମଇଦାନରେ ଆୟୋଜିତ ବିଜେପି ମଣ୍ଡଳ କାର୍ୟ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ବିରୋଧରେ ଗର୍ଜିଥିଲେ । ଏହାର ବିରୋଧ କରି ପ୍ରେସମିଟରେ ପୁଣି ବିଜେପି ନେତାଙ୍କୁ ସମାଲୋଚନା କରିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ, ସଂଜୟ ଦାସ ବର୍ମା ଓ ଅରୁଣ ସାହୁ ପ୍ରେସମିଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ  କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ କଡା ସାମାଲୋଚନା କରିଛନ୍ତି । ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଦଳର  ମୁଖପାତ୍ର ପ୍ରଦାପ ଦେବ କହିଛନ୍ତି, ଅମିତ ଶାହା ନିଜ ବକ୍ତବ୍ୟରେ ଓଡିଶାକୁ ଗରିବ କହି ରାଜ୍ୟକୁ ପରିହାସ କରୁଛନ୍ତି ।  ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କେନ୍ଦ୍ର ରାଜ୍ୟକୁ ଚାଉଳ  ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ମସିହାରେ ହୋଇଥିଲା ବିଜେପି ସରକାର ବେଳେ ହୋଇ ନାହିଁ ବୋଲି ବିଜେଡି ପକ୍ଷରୁ କୁହଯାଇଛି । ଦାନ ମାଝି ଓ ନଗଡା ଭଳି ଘଟଣାର ଉଦାହରଣ ଦେଇ ଲାଂଛନା ଦେଉଛି ବିଜେପି । କିନ୍ତୁ ମଧ୍ୟପ୍ରଦେଶ ଓ ଗୁଜୁରାଟରେ ଏମିତି ଅନେକ ଘଟଣା ଅଛି । ଛତିଶଗଡ ଓ ଆସାମରେ ଘଟଣା ଘଟୁଥିବା ସୋସିଆଲ ମିଡିଆରେ ଆସୁଛି । ଏହା ବିଜେପିକୁ ଦେଖାଯାଉନି କି ବୋଲି ପ୍ରତାପ ଦେବ କହିଛନ୍ତି । ୟୁପିରେ ଅକ୍ସିଜେନ ଅଭାବରୁ ୪୭ ପିଲା ମରିଗଲେ, ଏହାକୁ କ’ଣ ଦୁର୍ଘଟଣା କହିବେ । ପ୍ରତାପ କହିଛନ୍ତି ଯେ,  ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବରୁ ସତ କଣ ମିଛ କଣ ଜାଣିବା ଦରକାର । ଭୁଲ ତଥ୍ୟ ଦେଇ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ବିଜେଡି ମୁଖପାତ୍ର ସଞ୍ଜୟ  ଦାସବର୍ମା  କହିଛନ୍ତି ଯେ,  ପ୍ରସ୍ତାବିତ ଶିଳ୍ପ କରିଡରରେ ଓଡିଶାକୁ ବାଦ ଦିଆଯାଇଛି । ହାଇୱେର ସ୍ଥିତି ନେଇ ପ୍ରଶ୍ନ କରିଛନ୍ତି ସେ । କହିଛନ୍ତିି ୩ବର୍ଷ ଭିତରେ କୋଷ୍ଟାଲ ହାଇୱେର ଡିପିଆରି ବି ଆରମ୍ଭ ହୋଇନି । ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ଅଧାପନ୍ତରିଆ ହୋଇ ପଡିଛି । ବିଜେପିର ୧୨୦ ଆସନ ପ୍ରହେଳିକା ମାତ୍ର । ‘ ଫିଙ୍ଗିଦିଅ ଓ ଉପାଡି ଦିଅ’ ରାକ୍ଷସର ଭାଷା ବୋଲି କହିଛନ୍ତି ବିଜେଡି ମୁଖପାତ୍ର  ଅରୁଣ ସାହୁ । ଦୁର୍ଯ୍ୟାଧନ ଓ କଂସ ଏମିତି ଭାଷା ବ୍ୟବହାର କରୁଥିଲେ । ସେହିପରି ଅମିତ ଶାହାଙ୍କୁ ରାଜନୀତି ବ୍ଲ୍ୟୁହ୍ୱେଲ ଭାଇରସର ପ୍ରଚାରକ ବୋଲି କହିଛି ବିଜେଡି । ଯାହା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି । ଓଡିଶାରୁ ନେଉଛ କେତେ ଦେଉଛ କେତେ ତାହା ମାସକରେ ଜଣାଅ ବୋଲି ବିଜେଡି ପକ୍ଷରୁ ବିଜେପିକୁ ଆହ୍ୱାନ ଦିଆଯାଇଛି ।