Home Uncategorized ଓଡ଼ିଶାର ୫୨ ଜଣ ବିଧାୟକଙ୍କ ନାଁରେ ରହିଛି ଫୌଜଦାରୀ ମାମଲା

ଓଡ଼ିଶାର ୫୨ ଜଣ ବିଧାୟକଙ୍କ ନାଁରେ ରହିଛି ଫୌଜଦାରୀ ମାମଲା

0
ଭୁବନେଶ୍ୱର: ଫୌଜଦାରୀ ମାମଲାରେ ଓଡ଼ିଶାର ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୫୨ ଜଣ ସଂପୃକ୍ତ ଅଛନ୍ତି । ଏଥିରେ ଶାସକ ବିଜୁ ଜନତା ଦଳର ୩୨ ଜଣ, ବିରୋଧୀ କଂଗ୍ରେସର ୯ଜଣ ଓ ଭାରତୀୟ ଜନତା ପାର୍ଟିର ୮ଜଣ ବିଧାୟକ ସାମିଲ ଅଛନ୍ତି । ଏଡିଆର ଓ ଓଡ଼ିଶା ଇଲେକ୍ସନ ଓ୍ଵାଚ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ବିଜେଡିର ଜଣେ ରାଜ୍ୟସଭା ସାଂସଦ ଓ କଂଗ୍ରେସର ଜଣେ ସାଂସଦଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି । ସେହିପରି ବିଜେଡ଼ିର ୨ଜଣ ଲୋକସଭା ସାଂସଦ ଓ ବିଜେପିର ଏକମାତ୍ର ସାଂସଦଙ୍କ ନାମରେ ମଧ୍ୟ ଫୌଜଦାରୀ ମାମଲା ରହିଛି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନାମକ ଏକ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ଏଡିଆର ତଥ୍ୟ ଅନୁଯାୟୀ ଓଡ଼ିଶାର ୩୫% ବିଧାୟକଙ୍କ ନାମରେ ଅପରାଧୀକ ମାମଲା ବିଚାରଧୀନ ରହିଛି । ୨୦୧୪ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ସତ୍ୟପାଠ ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । କାର୍ଯ୍ୟରତ ବିଧାୟକଙ୍କ ମଧ୍ୟରୁ ୪୧ ଜଣଙ୍କ ନାମରେ ସଂଗୀନ ଅପରାଧୀକ ମାମଲା ରହିଛି । ଅର୍ଥାତ ମୋଟ ବିଧାୟକଙ୍କ ମଧ୍ୟରୁ ୨୮% ସଂଗୀନ ଅପରାଧୀକ ପୃଷ୍ଠଭୂମିରୁ ଆସିଛନ୍ତି । ଅପରାଧୀକ ମାମଲାରେ ବିଜେଡି ପ୍ରଥମ ସ୍ଥାନରେ ଥିଲାବେଳେ କଂଗ୍ରେସ ଦ୍ୱିତୀୟ ଓ ବିଜେପି ତୃତୀୟ ସ୍ଥାନରେ ରହିଛନ୍ତି । ବିଜେଡିର ୧୧୭ ବିଧାୟକଙ୍କ ମଧ୍ୟରୁ ୩୨ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ନାମରେ ସଂଗୀନ ଅପରାଧୀକ ମାମଲା ରହିଛି । ସେହିପରି କଂଗ୍ରେସର ୧୬ ବିଧାୟକଙ୍କ ମଧ୍ୟରୁ ୯ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ନାମରେ ସଂଗୀନ ଅପରାଧୀକ ମାମଲା ରହିଛି । ବିଜେପିର ୧୦ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କ ବିରୋଧରେ ଅପରାଧୀକ ମାମଲା ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ସଂଗୀନ ଅପରାଧୀକ ପୃଷ୍ଠଭୂମିରୁ ଆସିଛନ୍ତି । ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ଭାବେ ଥିବା ୪ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କ ନାମରେ ସଂଗୀନ ଅପରାଧୀକ ମାମଲା ରହିଛି । ସେହିପରି ଲୋକସଭାରେ ଥିବା ଓଡ଼ିଶାର ୨୧ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ବିଜେଡିର ୨ ସାଂସଦଙ୍କ ନାମରେ ଅପରାଧୀକ ମାମଲା ରହିଥିବାବେଳେ ଜଣକ ନାମରେ ସଂଗୀନ ଅପରାଧୀକ ମାମଲା ରହିଛି । ଅନୁରୂପ ଭାବେ ରାଜ୍ୟସଭାରେ ଓଡ଼ିଶାର ୧୦ ସାଂସଦ ଥିବାବେଳେ ୨ ଜଣଙ୍କ ନାମରେ ଅପରାଧୀକ ମାମଲା ରହିଛି । ବିଜେଡିର ୮ ସାଂସଦଙ୍କ ମଧ୍ୟରୁ ଜଣେ ଓ କଂଗ୍ରେସର ଜଣେ ସାଂସଦଙ୍କ ନାମରେ ଅପରାଧୀକ ମାମଲା ରହିଛି ।