କଟକ: ସ୍ୱାଇନ୍ ଫ୍ଲୁ ସହ ଏବେ ଡେଙ୍ଗୁକୁ ନେଇ ଲୋକେ ଆତଙ୍କିତ । ସ୍ୱାଇନ ଫ୍ଲୁରେ ରାଜ୍ୟରେ ୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡେଙ୍ଗୁରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଆଜି କଟକ ଏସସିବିରେ ଆଉ ଜଣେ ଡ଼େଙ୍ଗୁ ରୋଗୀଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।
ସୁଚନା ମୁତାବକ, ଡ଼େଙ୍ଗୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଉଛନ୍ତି ବାସୁଦେବପୁରର ହରିହର ମଲ୍ଲିକ । ସେ ଗତ ୮ତାରିଖରେ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ୯ ତାରିଖରୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଏସସିବିର ଡେଙ୍ଗୁ ନୋଡାଲ ଅଫିସର ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତ ୯ ତାରିଖରେ ମଧ୍ୟ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ବିହାରର ସୋମ ପ୍ରକାଶ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା ।