Home ଦେଶ ବିଦେଶ କରୋନାରୁ ମୁକ୍ତି ପାଇଁ ବାହାରିଲା ଔଷଧ

କରୋନାରୁ ମୁକ୍ତି ପାଇଁ ବାହାରିଲା ଔଷଧ


ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଏଥିରୁ ମୁକ୍ତି ଦେବାକୁ ଆସିଛି ଔଷଧ। କରୋନା ଭଲ କରୁଥିବା ଔଷଧ ପ୍ରସ୍ତୁତ କରିଛି ଦେଶର ଅନ୍ୟତମ ବଡ଼ ଫାର୍ମା କଂପାନି ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ। ଫାବି ଫ୍ଲୁ ନାଁରେ ପ୍ରସ୍ତୁତ ଏହି ମେଡିସିନ୍ କ୍ଲିନିକାଲ୍ ଟ୍ରାଏଲରେ ସଫଳ ହେବା ପରେ ପ୍ରସ୍ତୁତି ଓ ବିକ୍ରି ପାଇଁ ସ୍ୱୀକୃତି ପାଇଛି। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆର ସ୍ୱୀକୃତି ପରେ ଗ୍ଲେନମାର୍କ ଔଷଧ ଉତ୍ପାଦନ ଆରମ୍ଭ କରିଛି। ଏହାସହ ଔଷଧର ଡୋଜେସ ବା ବ୍ୟବହାର ପଦ୍ଧତି ମଧ୍ୟ ଜଣାଯାଇଛି।

କରୋନା ଭଳି ମହାମାରୀରୁ ମୁକ୍ତି ଦେବା ଲାଗି ପ୍ରସ୍ତୁତ ହୋଇଛି ଔଷଧ। ଗ୍ଲେନମାର୍କ ଫାର୍ମାସିୟୁଟିକାଲ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ନାଁ ରହିଛି ଫାବି ଫ୍ଲୁ। ଫାବିପିରାବିର ବର୍ଗର ଏହି ଫାବି ଫ୍ଲୁ କ୍ଲିନିକାଲ୍ ଟ୍ରାଏଲରେ ସଫଳ ହେବା ପରେ ଉତ୍ପାଦନ ଓ ବିକ୍ରି ପାଇଁ ଗ୍ଲେନମାର୍କକୁ ସବୁଜ ସଂକେତ ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ-ଡିସିଜିଆଇ।

ଦେଶରୋ କରୋନା ରୋଗୀଙ୍କୁ ଏହି ଔଷଧ ଦେବା ଲାଗି ମଧ୍ୟ ଡିସିଜିଆଇ ଅନୁମତି ପ୍ରଦାନ କରିଛି। ସାମାନ୍ୟ କରୋନା ଲକ୍ଷଣ ଥିବା ଆକ୍ରାନ୍ତଙ୍କଠାରେ ଏହି ଔଷଧ ପ୍ରୟୋଗ କରିବାକୁ କୁହାଯାଇଛି। ଡିସିଜିଆଇର ଅନୁମତି ପରେ ଆଜିଠାରୁ ଫାବି ଫ୍ଲୁ କରୋନା ରୋଗୀଙ୍କୁ ଦିଆଯାଇଛି। ତେବେ ଆସନ୍ତା ସପ୍ତାହ ସୁଦ୍ଧା ଦେଶର ସବୁଆଡେ ଏହି ଔଷଧ ମିଳିପାରିବ।

ଫାବି ଫ୍ଲୁର ପ୍ରତ୍ୟେକ ଟାବଲେଟ୍ ୨୦୦ ଏମ୍‌ଜିର ଏବଂ ଗୋଟିଏ ଟାବଲେଟ୍‌ର ଦାମ୍ ୧୦୩ ଟଙ୍କା ଧାର୍ଯ୍ୟ କରାଯାଇଛିି। ଗୋଟିଏ ଷ୍ଟ୍ରିପରେ ୩୪ଟି ଟାବଲେଟ ରହୁଥିବାରୁ ଏହାର ଦାମ୍ ୩୫୦୦ ଟଙ୍କା ହେଉଛି।

ଡାକ୍ତରଙ୍କ ପ୍ରେସକ୍ରିପସନରେ ପ୍ରତ୍ୟେକ ହସ୍ପିଟାଲ, ମେଡିସିନ୍ ଷ୍ଟୋରରେ ଔଷଧ ମିଳିପାରିବ। ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ପ୍ରଥମ ଦିନରେ ୨ଥର ୧୮୦୦ ଏମଜିର ଔଷଧ ଆବଶ୍ୟକ। ଏଥିଲାଗି ପ୍ରଥମ ଦିନରେ ୨ ଥର ୯ଟି ଲେଖାଏଁ ଟାବଲେଟ୍ ଦିଆଯିବ। ଦ୍ୱିତୀୟ ଦିନରୁ ୧୪ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପରାମର୍ଶରେ ଦୈନିକ ୨ଥର ୮୦୦ ଏମ୍‌ଜିର ଟାବଲେଟ ଖାଇବାକୁ ଦିଆଯିବ।

ବିନା ପ୍ରେସକ୍ରିପସନରେ ଟାବଲେଟ୍ ବିକ୍ରି କରାଯାଇପାରିବ ନାହିଁ। ଫାବି ଫ୍ଲୁ ଔଷଧ ଖାଇବା ପରେ ଏହା ଶରୀର କୋଷ ଭିତରେ ପ୍ରବେଶ କରି ଭୂତାଣୁକୁ ନିଷ୍କ୍ରିୟ କରିବ। ଆଉ ୪ ଦିନ ଭିତରେ ଭୂତାଣୁର ପ୍ରଭାବ ହ୍ରାସ କରି ସାଧାରଣ ଚିକିତ୍ସା ପାଇଁ ରାସ୍ତା ଫିଟାଇବ ବୋଲି କୁହାଯାଇଛି।

ଫାବି ଫ୍ଲୁ ଟାବଲେଟ୍ ୧୮ରୁ ୭୫ ବର୍ଷର ଲୋକଙ୍କୁ ଦିଆଯିବ। କରୋନା ସହ ଡାଇବେଟିସ ଭଳି ରୋଗ ଥିବା ଆକ୍ରାନ୍ତଙ୍କଠାରେ ମଧ୍ୟ ଏହି ଔଷଧ ପ୍ରୟୋଗ କରାଯାଇ ପାରିବ। ତେବେ ଏହା ମହାମାରୀ ଭଳି ଜରୁରୀ ପରିସ୍ଥିତି ବେଳେ ଔଷଧ ପ୍ରୟୋଗ ଲାଗି ଅନୁମତି ପାଇଥିବାରୁ ଆକ୍ରାନ୍ତଙ୍କୁ ଖାଇବାକୁ ଦିଆଯିବାବେଳେ ତାଙ୍କଠାରୁ ଅଣ୍ଡରଟେକିଂ ନିଆଯିବ।

ଔଷଧ ଉତ୍ପାଦନ ଓ ଡିସିଜିଆଇର ଅନୁମତି ଏବଂ ବିକ୍ରି ପର୍ଯ୍ୟନ୍ତ ସବୁ ନିଜେ ଗ୍ଲେନମାର୍କ ହିଁ ଦାୟିତ୍ୱ ନେଇଛି। ଭାରତରେ ୧୫୦ ଜଣ ରୋଗୀଙ୍କ କ୍ଷେତ୍ରରେ ଏହାର କ୍ଲିନିକାଲ ଟ୍ରାଏଲ ହୋଇଛି ବୋଲି ଗ୍ଲେନମାର୍କ ପକ୍ଷରୁ କୁହାଯାଇଛି। ଆଗକୁ କରୋନା ସହ ଅନ୍ୟ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ପରୀକ୍ଷା କରିବା ଲାଗି ଗ୍ଲେନମାର୍କ ପଦକ୍ଷେପ ନେଉଛି। ତେବେ ଫାବିପିରାବିର ମେଡିସିନ ରୁଷିଆ, ଜାପାନ ଓ ଚୀନ୍‌ରେ ପ୍ରୟୋଗ ହୋଇ ସଫଳ ହୋଇଛି।

ଗ୍ଲେନମାର୍କ ବ୍ୟତୀତ ଦିଲ୍ଲୀର ବ୍ରିଟନ ଫାର୍ମାସିୟୁଟିକାଲ୍ସ, ବେଙ୍ଗଳୁରୁର ଷ୍ଟ୍ରାଇଡସ ଫାର୍ମା, ମୁମ୍ବାଇର ଲାସା ସୁପରଜେନେରିକ୍ସ ଓ ହାଇଦରାବାଦର ଅପଟିମସ୍ ଫାର୍ମା ମଧ୍ୟ ନିଜର ଫାବିପାରିବିର ମେଡିସିନ୍ ଆପ୍ରୁଭ ପାଇଁ ଆବେଦନ କରିଥିବା ସୂତ୍ରରୁ ଜଣାପଡ଼ିଛି। ସେପଟେ ଔଷଧ ବିଶାରଦ କହିବା କଥା ଯେ, ଫାବି ଫ୍ଲୁ ଆଦୌ ଗୋଟେ ମ୍ୟାଜିକ ମେଡିସିନ ନୁହେଁ। କରୋନା ସୃଷ୍ଟିକାରୀ କୋଭିଡ-୧୯ ବିନାଶକାରୀ ମେଡିସିନ୍। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ବୋଲି ବିଶାରଦ କହିଛନ୍ତି।

ଆହୁରି ପଢ଼ନ୍ତୁ