Home ଅପରାଧ କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

0
ପଟ୍ଟାଙ୍ଗୀ: କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି । ଏଥିରେ କଂଗ୍ରେସର ଆଦିବାସୀ ସେଲ ସଭାପତି ପ୍ରଦୀପ ମାଝି, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍‌, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା, ଜିଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ପ୍ରମୁଖ ଏଥିରେ ସାମିଲ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ଅଡି ବସିଛନ୍ତି । ଗତକାଲି ଠାରୁ ଉତ୍ତ୍ୟକ୍ତ ଲୋକେ ପୀଡିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡୁନାହାଁନ୍ତି । ଅବରୋଧକାରୀଙ୍କ ପକ୍ଷରୁ ତଦନ୍ତ କରୁଥିବା ପୋଲିସ ଅଧିକାରୀ, ଏସ୍‌ପି, ଡିଆଇଜି ଏବଂ ଚିକିତ୍ସା କରୁଥିବା ଡକ୍ତରୀ ଦଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ଘରେ କେହି ନଥିବା ବେଳେ ଭିତର ପଟୁ କବାଟ ଦେଇ ଘରେ ଝୁଲିପଡ଼ିଥିଲେ ପୀଡ଼ିତା । ଦିନ ପ୍ରାୟ ସାଢ଼େ ୨ଟା ସମୟରେ ପରିବାର ଲୋକେ ଘରକୁ ଫେରି କବାଟ ବନ୍ଦ ଥିବା ଦେଖି ଡାକିଥିଲେ ମଧ୍ୟ କବାଟ ନଖୋଲିବାରୁ ସନ୍ଦେହରେ ଟାଇଲ୍ ଖୋଲି ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । କବାଟ ଭାଙ୍ଗି ତାଙ୍କୁ ତୁରନ୍ତ ଉଦ୍ଧାର କରି କୁନ୍ଦୁଲି ହସ୍ପିଟାଲ୍ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି ।