Home Uncategorized କୃଷି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି: ମରୁଡି ଭଳି ପୋକ କ୍ଷତି ପାଇଁ ଚାଷୀଙ୍କୁ ସହାୟତା ମିଳିବ

କୃଷି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି: ମରୁଡି ଭଳି ପୋକ କ୍ଷତି ପାଇଁ ଚାଷୀଙ୍କୁ ସହାୟତା ମିଳିବ

0
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ବସିଥିବା ରାଜ୍ୟ କୃଷି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାର ଓ କୀଟନାଶକ ଉପରେ ୭୫ ପ୍ରତିଶତ ସବ୍‌ସିଡି, ୫ ହଜାର ପମ୍ପସେଟ୍‌ରେ ୫୦ ପ୍ରତିଶତ ସବ୍‌ସିଡି ଦେବାକୁ ନିଷ୍ପତ୍ତି ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି । କୁକୁଡ଼ା ଚାଷ ପାଇଁ କ୍ଷୁଦ୍ର, ଭୂମିହୀନ ଚାଷୀଙ୍କୁ ସହାୟତା ଦିଆଯିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ମଧ୍ୟ ପୁଣି ଋଣ ସହାୟତା ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅପରପକ୍ଷରେ ନିଆଁ ଲଗାଇଥିବା ଚାଷୀ ବି ସହାୟତା ପାଇବା ନେଇ କୃଷିମନ୍ତ୍ରୀ ଦାମୋଦର ରାଉତ ସୂଚନା ଦେଇଛନ୍ତି ।     ସୂଚନାଯୋଗ୍ୟ,ରାଜ୍ୟର ୯ ଜିଲ୍ଲାର ୧.୧୨ ଲକ୍ଷ ହେକ୍ଟର ଜମି ପୋକ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ମରୁଡ଼ି ଭଳି ପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିବା ନେଇ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କୃଷି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜସ୍ୱ, କୃଷି, ସମବାୟ ଓ ପଞ୍ଚାୟତିରାଜ ମନ୍ତ୍ରୀ ଓ ସଚିବ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବୈଠକ ଶେଷ ହେବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି, ମରୁଡି ସହାୟତା ପରି ପୋକ ଦ୍ୱାରା କ୍ଷତି ଗ୍ରସ୍ତ ହୋଇଥିବା ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ  ।  ଜଳସେଚିତ ଜମିରେ ସରକାର ହେକ୍ଟର ପ୍ରତି ୧୩,୫୦୦ ଟଙ୍କା କ୍ଷତି ପୂରଣ, ଅଣ ଜଳ ସେଚିତ ଜମିରେ  ହେକ୍ଟର ପ୍ରତି ୬,୮୦୦ ଟଙ୍କା ଟଙ୍କା କ୍ଷତି ପୂରଣ ଦିଆଯିବ । ୩୩ ପ୍ରତିଶତରୁ ଅଧିକ କ୍ଷତିଗସ୍ତ ଅଞ୍ଚଳରେ ୫୦ ପ୍ରତିଶତ ଖଜଣା ଛାଡ, ପୋକ ଲାଗିଥିବା ଅଞ୍ଚଳରେ କୀଟନାଶକରେ  ୭୫ ପ୍ରତିଶତ ସବସିଡି , ୩୩ ପ୍ରତିଶତ ରୁ ଅଧିକ କ୍ଷତି ଗ୍ରସ୍ତ ଚାଷୀଙ୍କର ସ୍ୱଳ୍ପମିଆଦି ଋଣ ଦୀର୍ଘମିଆଦି ହେବ । ପୋକ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଟ୍ୟୁସନ ଫି ଛାଡ କରାଯିବ । ଖରିଫରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଫସଲ ପାଇଁ ଋଣ ମିଳିବ । ଏକଲକ୍ଷ ପରିବାରକୁ ଧାନ ବିହନ ମିନି କିଟ ଓ ୫୦ ହଜାର ପରିବା ଚାଷୀଙ୍କୁ ପରିବା ମିନି କିଟ ପ୍ରଦାନ କରାଯିବ । ସେହିପରି ୫୦ ହଜାର ପରିବାରକୁ କୁକୁଡା ଚିଆଁ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି ।