Home ଅପରାଧ ଗ୍ୟାଙ୍ଗଷ୍ଟାର୍ ଛୋଟା ରାଜନର ବ୍ରହ୍ମପୁର ଲିଙ୍କ୍ ! ୪ଗିରଫ

ଗ୍ୟାଙ୍ଗଷ୍ଟାର୍ ଛୋଟା ରାଜନର ବ୍ରହ୍ମପୁର ଲିଙ୍କ୍ ! ୪ଗିରଫ

ବ୍ରହ୍ମପୁର : ଅଣ୍ଡର ୱାର୍ଲଡ୍‌ ଡନ୍‌ ଛୋଟା ରାଜନ୍‌ର ଲିଙ୍କ୍‌ ଓଡ଼ିଶାରେ ଥିବା ଜଣାପଡ଼ିଛି । ବ୍ରହ୍ମପୁରରେ ଛୋଟା ରାଜନ୍‌ର ନେଟ୍‌ୱାର୍କ ରହିଥିବା ନେଇ ପୋଲିସ୍‌ ସୂଚନା ପାଇଛି ।  ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂଚନା ଆଧାରରେ ବ୍ରହ୍ମପୁରରୁ ୪ ଜଣଙ୍କୁ ଗୋପାଳପୁର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଚାଇନାରେ ନିର୍ମିତ ୫ଟି ସିମ୍‌ ବକ୍ସ ଓ ୨୫ଟି ସିମ୍‌ କାର୍ଡ ଜବତ କରାଯାଇଛି । ଯାହାକୁ ନେଇ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଟି. ଲକ୍ଷ୍ମୀନାରାୟଣ ସ୍ରଫ, ପ୍ରଦୀପ କୁମାର ଚୌଧୁରୀ, ସୁରେଶ କୁମାର ଶତପଥୀ ଓ ସନ୍ତୋଷ କୁମାର ସାହୁ ।     ଛୋଟା ରାଜନ୍ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ସୁରେଶ ପୂଜାରୀ ମୁମ୍ବାଇସ୍ଥିତ ଜଣେ ଜମି ବ୍ୟବସାୟୀଙ୍କୁ ବ୍ରହ୍ମପୁରର ଏହି ସିମ୍ ବକ୍ସ ମାଧ୍ୟମରେ ୨ କୋଟି ଟଙ୍କାର ଦାଦାବଟି ମାଗିଥିଲା । ଏ ନେଇ ବିଲ୍‌ଡର୍‌ ଜଣକ ଥାନାରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ କରୁଥିବାବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହାର ଲିଙ୍କ୍‌ ଗଞ୍ଜାମକୁ ବ୍ୟାପିଥିବା ଜାଣିବାକୁ ପାଇଥିଲା । ଏହି ୪ ଜଣ ଅଭିଯୁକ୍ତ ଦିଲ୍ଲୀ ଏବଂ ଅହମ୍ମଦାବାଦର କିଛି ଏଜେନ୍ସିଙ୍କୁ ଧରି ଏସ୍‌-ୱାର୍ଲଡ୍‌ ନାମକ ଏକ ସଂସ୍ଥା ଖୋଲି ଏହି ବେଆଇନ୍ କାରବାର ଚଳାଇଥିଲେ ।  ଅଭିଯୁକ୍ତଙ୍କଠାରୁ ମିଳିଥିବା ସିମ୍‌ ବକ୍ସ ଏକ ଛୋଟ ଟେଲିଫୋନ୍‌ ଏକ୍ସଚେଞ୍ଜ ଭଳି କାମ କରିଥାଏ । ବିଦେଶରୁ ଆସୁଥିବା କଲ୍‌ ସିମ୍‌ ବକ୍ସ ଜରିଆରେ ଲୋକାଲ ସୋ କରିଥାଏ । ଲୋକାଲ୍‌ କଲ୍‌ ସୋ କରୁଥିବାରୁ ଏହାକୁ ଧରିବା ସମ୍ଭବ ହୋଇ ନ ଥାଏ । ଏହି ସିମ୍‌ ବକ୍ସ ଆତଙ୍କବାଦୀ ଓ ଅଣ୍ଡର୍‌ ୱାର୍ଲଡ୍‌ ଡନ୍‌ ବ୍ୟବହାର କରନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଓଡିଶାରେ ଏଭଳି ଘଟଣା ପ୍ରଥମ ବୋଲି ବ୍ରହ୍ମପୁର ପୋଲିସ୍‌ କହିଛି ।