Home ଅପରାଧ ଜାମିନ୍‌ ନାମଞ୍ଜୁର ପରେ ଜେଲ୍‌ ଗଲା ସିରିଏଲ କିଲର ବୁଦ୍ଧଦେବ

ଜାମିନ୍‌ ନାମଞ୍ଜୁର ପରେ ଜେଲ୍‌ ଗଲା ସିରିଏଲ କିଲର ବୁଦ୍ଧଦେବ

0

ପୁରୀ: ପୁରୀ ଡେଲାଙ୍ଗରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଅତି ଜଘନ୍ୟ ଭାବେ ହତ୍ୟା କରିଥିବା ସିରିଏଲ୍‌ କିଲର୍‌ ବୁଦ୍ଧଦେବ ବେହେରାକୁ ଆଜି ପିପିଲି ଜେଏମ୍‌ଏଫ୍‌ଏସି କୋର୍ଟରେ ହାଜର କରାଯାଇଥିଲା । ଗତକାଲି ବୁଦ୍ଧଦେବକୁ ଯାଜପୁରରୁ ଗିରଫ କରାଯିବା ପରେ ପୋଲିସ ଆଜି ତାକୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ତାର ଜାମିନ୍‌ ନାମଞ୍ଜୁର ହୋଇଯିବା ପରେ ଆଜି ପୁଣି ତାକୁ  ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  
 
ଅଗଷ୍ଟ ୧ ତାରିଖରେ ପୁରୀ ଡେଲାଙ୍ଗ ଥାନାର ଜଗଦଳପୁର ନିକଟ ଜଙ୍ଗଲରେ  ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ବୁଦ୍ଧଦେବ ଫେରାର ହୋଇ ଯାଇଥିଲା । ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ଜଣେ ଓଡିଆ ମହିଳା ଶ୍ରମିକକୁ ବୁଦ୍ଧଦେବ ସମାନ ଢଙ୍ଗରେ ହତ୍ୟା କରିବା ପରେ ଆନ୍ଧ୍ରପଦେଶ ପୋଲିସ୍ ବୁଦ୍ଧଦେବର ଓଡିଶା ଲିଙ୍କ୍‌ ବିଷୟରେ ଜାଣିବାକୁ ପାଇଥିଲା ।  ଆନ୍ଧ୍ରପ୍ରଦେଶ ଓ ପୁରୀ ପୋଲିସ ଏହି ଘଟଣା ଉପରେ ତଦନ୍ତ କରି ଯାଜପୁର ପୋଲିସ ସହାୟତାରେ  ବିଭିନ୍ନ ସ୍ଥାନରେ ଚଢାଉ କରି ଗତକାଲି ତାକୁ ଯାଜପୁରରୁ ଗିରଫ କରିଥିଲେ । ବୁଦ୍ଧଦେବ ନିକଟରୁ ପୋଲିସ ଡେଲାଙ୍ଗର ସେହି ମୃତ ମହିଳାଙ୍କ ମୋବାଇଲ ଫୋନ ସମେତ ୧୫ ଜଣଙ୍କର ଭୋଟ ପରିଚୟପତ୍ର ଓ ଆଧାରକାର୍ଡ ଜବତ କରିଥିବା ପୁରୀ ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି । ସେ ଜଣେ ନିଷ୍ଠୁର, ମାନସିକ ବିକୃତ ଏବଂ ଯୌନ ପିପାଷୁ ହତ୍ୟାକାରୀ ବୋଲି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତି  ।
ଅଭିଯୁକ୍ତ ବୁଦ୍ଧଦେବ ବେହେରା (୩୧) ଘର ଦେବଗଡ ଜିଲାର ଗିନାହଜ ଗ୍ରାମରେ  ।  ଆନ୍ଧ୍ରରେ ଲେବର୍‌ କଣ୍ଟ୍ରାକ୍ଟର ଭାବେ କାମ କରୁଥିବା ବୁଦ୍ଧଦେବ ଓଡିଶାର ବିଭିନ୍ନ ଜିଲ୍ଲାର ମହିଳାଙ୍କୁ ଶ୍ରମିକ ଭାବେ ନିଏ । ପ୍ରେମର ନାଟକ କରି ସେ ମହିଳାମାନଙ୍କୁ ପ୍ରେମ ଜାଲରେ ଫସାଇ ବିଶ୍ୱାସ ଜନ୍ମାଇବା ପରେ ଦୂରସ୍ଥାନକୁ ନେଇ ଯାଇ ମୃଦୁପାନୀୟରେ ନିଶାଦେଇ ଦୁଷ୍କର୍ମ କରିଥାଏ  । ଏହାପରେ ଛୁରିରେ ତଣ୍ଟିକାଟି ସେହି ମହିଳାମାନଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥାଏ  । ହତ୍ୟାକାଣ୍ଡ ସ୍ଥାନରେ ଅନ୍ୟର ପରିଚୟପତ୍ର ରଖି ସେ ପୋଲିସ ତଦନ୍ତର ମୋଡ ବଦଳାଇ ଦିଏ  । ବୁଦ୍ଧଦେବ ଜଣ ଜଣ କରି ୫ ଜଣ ମହିଳାଙ୍କୁ ଦୁଷ୍କର୍ମ ପରେ ତଣ୍ଟିକାଟି ଅତି ବୀଭତ୍ସ ଭାବରେ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛି । ବୁଦ୍ଧଦେବ ନାଁରେ ଆନ୍ଧ୍ରପ୍ରଦେଶ, ଡେଲାଙ୍ଗ,ଦେବଗଡ, ଯାଜପୁର ଇତ୍ୟାଦି ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here