Home Uncategorized ନବୀନଙ୍କ ଶିଶୁ ଦିବସ ଭେଟି: ଘୋଷଣା କଲେ ‘ମୋ ସ୍କୁଲ ଅଭିଯାନ’ ଓ ‘ମୁଖ୍ୟମନ୍ତ୍ରୀ ମେଧା...

ନବୀନଙ୍କ ଶିଶୁ ଦିବସ ଭେଟି: ଘୋଷଣା କଲେ ‘ମୋ ସ୍କୁଲ ଅଭିଯାନ’ ଓ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ଯୋଜନା

0

ଭୁବନେଶ୍ୱର : ଦୀର୍ଘ ୧୭ ବର୍ଷର ଶାସନକାଳରେ ପ୍ରଥମ ଥର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦିବସ ଅବସରରେ ପିଲାମାନଙ୍କ ଆଗରେ ତାଙ୍କ ମନର କଥା କହିଛନ୍ତି । ମଙ୍ଗଳବାର ଶିଶୁ ଦିବସ ଅବସରରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଦୃଢ ସଂକଳ୍ପର ସହ ଆଗକୁ ବଢିବା ଏବଂ ମା’ ମାଟିର ଗୌରବକୁ ଆହୁରି ଉଚ୍ଚ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଜଣାଇଛନ୍ତି । କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୧୦ ମିନିଟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ଟି ବିଦ୍ୟାଳୟର ୪୫୦୦ ଛାତ୍ରଛାତ୍ରୀଙ୍କ ସାମ୍ନାରେ ମନର କଥା କହିଛନ୍ତି । ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ମଧୁବାବୁଙ୍କ ସେବା ଓ ବିଜୁବାବୁଙ୍କ ସାହସିକତାକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ସବୁ ପିଲା ସ୍କୁଲ ଆସନ୍ତୁ । ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ ଖେଳ, ନାଚ, ଗୀତ, ସମାଜସେବା ସବୁ କ୍ଷେତ୍ରରେ ଓଡ଼ିଶାର ଗୌରବ ବଢାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଦଶମ ଶ୍ରେଣୀରେ ଓଡ଼ିଆରେ ଭଲ ନମ୍ବର ରଖିଥିବା ପିଲାମାନଙ୍କୁ ୫ ହଜାର ଟଙ୍କା ଲେଖାଏ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ଦିଆଯିବ। ସେହିପରି ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯିବ। ସାରା ରାଜ୍ୟର ୪୦ ହଜାର ପିଲା ଏହି ପୁରସ୍କାର ପାଇବେ । ପ୍ରତି ପିଲାଙ୍କୁ ୫୦୦୦ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ । ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ପ୍ରତି ବ୍ଲକର ୩ଟି ସ୍କୁଲକୁ ଏକ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ । ଉକ୍ତ ଅର୍ଥରାଶି ସେହି ସ୍କୁଲର ଶିକ୍ଷକମାନଙ୍କ ମଧ୍ୟରେ ବଣ୍ଟାଯିବ ।

ଯଦି କୌଣସି ବ୍ୟକ୍ତି କୌଣସି ସ୍କୁଲର ବିକାଶ ପାଇଁ କିଛି ଅର୍ଥ ଦାନ କରନ୍ତି, ତେବେ ସରକାର ତାର ଦୁଇ ଗୁଣା ଅର୍ଥ ଦାନ କରିବେ । ପୁରୁଣା ଛାତ୍ରଙ୍କୁ ସ୍କୁଲ ସହ ଯୋଡିବା ପାଇଁ ‘ମୋ ସ୍କୁଲ କ୍ୟାମ୍ପେନ’ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ସେ ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ବିଷୟରେ କହିଥିଲେ । ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନଗାର, ଲାଇବ୍ରେରୀ ସ୍ଥାପନା ସହ କ୍ରୀଡାର ବିକାଶ, ଶିକ୍ଷାଦାନ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ ।

ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ପିଲାଏ ତୁମମାନଙ୍କ ଉପରେ ମୋର ଭରସା ଅଛି । ସଙ୍କଳ୍ପ ସହିତ ଆଗକୁ ବଢ଼ିଚାଲ, ମା ମାଟିର ଗୌରବ ବୃଦ୍ଧିି କ ର । ଏହି ଅବସରରେ ବିଦ୍ୟାଳୟ, ଭାଷା ଓ ଓଡ଼ିଶାର ବିକାଶ ପାଇଁ ଛାତ୍ରଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ ।

ସାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ର ଏହି କାର୍ଯ୍ୟକ୍ରମକୁ ଟିଭି ପରଦାରୁ ଦେଖିବାର ସୁଯୋଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୦୦ ସେଲିବ୍ରେଟି  ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସମ୍ଭୋଧିତ କରିବା ପୂର୍ବରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ।  ୮ ପ୍ଲାଟୁନ୍ ପୋଲିସ ପ୍ରହରା ଦେଇଥିବାବେଳେ ବହୁ ରାଜନେତା, ଅଭିନେତା, କଳାକାର ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here