Home ଓଡିଶା ନବୀନଙ୍କ ୧୭ ବର୍ଷ ଶାସନରେ ବିକାଶ କେତେ- ପ୍ରକାଶ ଜାଭଡେକର

ନବୀନଙ୍କ ୧୭ ବର୍ଷ ଶାସନରେ ବିକାଶ କେତେ- ପ୍ରକାଶ ଜାଭଡେକର

ଭୁବନେଶ୍ୱର: ଓଡ଼ିଶାକୁ ତିନି ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନବୀନଙ୍କ ୧୭ ବର୍ଷ ଶାସନ କାଳରେ ଓଡିଶାର କେତେ ବିକାଶ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଭ୍ରଷ୍ଟାଚାରରେ ନବୀନ ସରକାର ପ୍ରବୀଣ ସରକାର ବୋଲି ସେ କହିଛନ୍ତି । ଏଠି ସ୍କୁଲ ଅଛି ଶିକ୍ଷକ ନାହାନ୍ତି,ହସ୍ପିଟାଲ ଅଛି ଡାକ୍ତର ନାହାନ୍ତି, ନଳକୂପ ଅଛି ପାଣି ନାହିଁ, ଗାଁ ଅଛି ସଡ଼କ ନାହିଁ । ତାର ଅଛି ଗାଁରେ ବିଜୁଳି ପହଞ୍ଚୁ ନାହିଁ । ଏଠାରେ ପାଣି କମ୍‌ ମଦ ବେଶୀ ବୋଲି ସେ କହିଛନ୍ତି । ଏହାସହ ସେ ଏକ ଫଟୋ ଦେଖାଇ ନବୀନ ସରକାର ଚିଟଫଣ୍ଡର ପ୍ରମୋସନ କରିଛନ୍ତି ବୋଲି କହିଥିଲେ । ନବୀନ ସରକାରଙ୍କ ୫୦ ବିଧାୟକ ଚିଟଫଣ୍ଡର ପ୍ରମୋସନ କରିଛନ୍ତି । କ୍ଷୁଦ୍ର ଜମାକାରୀ ଟଙ୍କାଟିଏ ବି ପାଇନାହାନ୍ତି । ଏକ ମାଗାଜିନର ସପୋର୍ଟରେ ଲୋକପ୍ରିୟତାର ଦ୍ୱାହି ଦେଉଛନ୍ତି ନବୀନ ସରକାର । ପୂର୍ବରୁ ନବୀନ ଲୋକପ୍ରିୟ ଥିଲେ , ଏବେ ତାହା ନାହିଁ । ଏଥିସହ ସେ କହିଛନ୍ତି ଯେ, ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିପୁଳ ପରିମାଣରେ ବିଜୟୀ ହେବ । ଗ୍ରାମୀଣ ଗରିବ ଜନତା ଆମ ସାଥୀରେ ଅଛନ୍ତି  । ମିଶନ ୧୨୦ ପଥରେ ଆମେ ଅଗ୍ରସର ହେଉଛୁ । ଏହାସହ ସେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦିଆଯିବ ବୋଲି କହିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ମନ୍ତବ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ସରକାର ନିଜେ ଦୁର୍ନୀତିରେ ଉବୁଟୁବୁ । ସେ ଅନ୍ୟକୁ ଆକ୍ଷେପ ନ କରନ୍ତୁ । ଜାଭେଡକର ନିଜ ବିଭାଗ କଥା ବୁଝନ୍ତୁ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବହୁ ପଦବୀ ଖାଲି ପଡିଛି । କଟକ- ଭୁବନେଶ୍ୱର ବିଷୟରେ ନକହି କେନ୍ଦ୍ର କଥା କୁହନ୍ତୁ । ଜାଭଡେକର ସିବିଆଇର ମୁଖପାତ୍ର ଭଳି ବ୍ୟବହାର କରୁଛନ୍ତି ।