Home Uncategorized ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୧୦ ମୃତ, ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ...

ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୧୦ ମୃତ, ରେଳ ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି

0

ନୂଆଦିଲ୍ଲୀ- ଉତ୍ତରପ୍ରଦେଶର ମୁଜାଫରନଗର ଖତୌଲୀ ନିକଟରେ ପୁରୀ-ହରିଦ୍ୱାର କଳିଙ୍ଗ-ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁରୀରୁ ହରିଦ୍ଵାର ଯାଉଥିବା ଏହି ଟ୍ରେନର ୧୩ଟି ବଗି ଲାଇନ ଚ୍ୟୁତ୍ ହୋଇଛି । ଦୁର୍ଘଟଣା ଏତେ ତୀବ୍ରତର ଥିଲା ଯେ ୧୩ଟି ଯାକ ବଗି ଗୋଟିଏ ଅନ୍ୟ ଉପରେ ଚଢ଼ିଯାଇଛି ।  ଏହି ଦୁର୍ଘଟଣା ଖଲୌତୀ ନିକଟସ୍ଥ ଗଙ୍ଗନହର ନିକଟରେ ଶନିବାର ସନ୍ଧ୍ୟା ୫ଟା ୪୬ରେ ଘଟିଛି । ପ୍ରାରମ୍ଭିକ ସୂଚନା ମୁତାବକ ଦୁର୍ଘଟଣାରେ ୧୦ ଜଣକର ମୃତ୍ୟୁ ଘଟିଥିବା ବେଳେ  ଶତାଧିକ ଲୋକ ଆହତ ହୋଇଛନ୍ତି । ମୃତକ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ଟ୍ରେନଟି ରେଳଧାରଣା ନିକଟରେ ଘରଗୁଡ଼ିକ ଉପରେ ଚଢ଼ିଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଦିଲ୍ଲୀରୁ ଏନଡିଆରଏଫ ଦଳକୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।  

ସୂଚନା ମୁତାବକ,କଳିଙ୍ଗ- ଉତ୍କଳ ଏକ୍ସପ୍ରେସ, ଗତ୧୭ ତାରିଖ ରାତିରେ ପୁରୀ ଛାଡିଥିଲା, ଆଜି ରାତି ୯ଟାରେ ହରିଦ୍ୱାରରେ ପହଞ୍ଚିବାର ଥିଲା । ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଯାବତ୍ ଦୁର୍ଘଟଣାର କାରଣ ଜଣାପଡିନାହିଁ । ଏହି ଘଟଣାରେ ରେଲୱେମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ୍‌  ଦୁଃଖ ପ୍ରକାଶ କରିଛନ୍ତି । ସେ ନିଜେ ତୁରନ୍ତ ଘଟଣାର ଅନୁଧ୍ୟାନ କରିବେ ବୋଲି ଲେଖିଛନ୍ତି ।  ଏହି ଘଟଣାରେ ହେଲପ ଲାଇନ ନମ୍ବର ଜାରି ହୋଇଛି । ସମ୍ପର୍କୀୟମାନେ ୯୪୫୪୪୫୫୧୮୩ କୁ ଯୋଗାଯୋଗ କରିବାକୁ କୁହାଯାଇଛି । ମିରଟ ଜିଲ୍ଲା ହସପିଟାଲ ପକ୍ଷରୁ ଏହି ହେଲ୍‌ପଲାଇନ ଜାରି କରାଯାଇଛି। ସେହିପରି ୯୭୬୦୫୩୪୦୫୪ ଏବଂ ୯୭୬୦୫୩୫୧୦୧ ଦୁଇଟି ହେଲପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ତଦନ୍ତ ପାଇଁ ଏଟିଏସ୍‌ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି । ଆହତମାନଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇ ଦେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ-ହରିଦ୍ୱାର ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି । ରେଳ ବିଭାଗ ସହ ସମନ୍ୱୟ ରଖିବାକୁ ମୁଖ୍ୟମନ୍ତ୍ରୀ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରେ କେହି ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲେ ୫ ଲକ୍ଷ ଏବଂ ଆହତ ଯାତ୍ରୀଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍‌ କରି ଦୁଃଖପ୍ରକାଶ କରିଛନ୍ତି ।  

LEAVE A REPLY

Please enter your comment!
Please enter your name here