Home ଜୀବନଚର୍ଯ୍ୟା ପୃଥିବୀର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର

ପୃଥିବୀର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର

0

ବୈଜ୍ଞାନିକମାନେ ବିଶ୍ୱର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର ଆବିଷ୍କାର କରିଛନ୍ତି। ଆଣ୍ଟର୍କଟିକାର ବରଫ ପୃଷ୍ଠର ୨ କି.ମି. ଗଭୀରତାରେ ପ୍ରାୟ ୧୦୦ ଆଗ୍ନେୟଗିରି ରହିଥିବା ସେମାନେ ଜାଣିବାକୁ ପାଇଛନ୍ତି। ବ୍ରିଟେନର ଏଡିନବର୍ଗ ୟୁନିଭର୍ସିଟି ଗବେଷକମାନେ ଚକିତ କରିଦେବା ଭଳି ୯୧ଟି ଆଗ୍ନେୟଗିରି ଠାବ କରିଛନ୍ତି। ଏହାପୂର୍ବରୁ ଆଣ୍ଟର୍କଟିକାରେ ୪୭ଟି ଆଗ୍ନେୟଗିରିର ସନ୍ଧାନ ମିଳିଥିଲା। ସୁଇଜରଲାଣ୍ଡର ଏଇଗର ଆଗ୍ନେୟଗିରିର ଉଚ୍ଚତା ୪୦୦୦ ମିଟର। ନବ ଆବିଷ୍କୃତ ଆଗ୍ନେୟଗିରିଗୁଡ଼ିକର ଉଚ୍ଚତା ୧୦୦ ମିଟରରୁ ୩,୮୦୦ ମିଟର। ସେଗୁଡ଼ିକ ମୋଟା ବରଫର ଆବରଣରେ ଆଚ୍ଛାଦିତ ହୋଇ ରହିଛି। ଏହି ସକ୍ରିୟ ଆଗ୍ନେୟଗିରିଗୁଡ଼ିକ ଯେଉଁ ସ୍ଥାନରେ ରହିଛି ତାକୁ ପଶ୍ଚିମ ଆଣ୍ଟର୍କଟିକା ରିଫ୍ଟ ସିଷ୍ଟମ କୁହାଯାଏ। ଏସବୁ ଆଣ୍ଟର୍କଟିକାର ରୋସ୍‌ ବରଫ ଶିଳାରୁ ଆଣ୍ଟର୍କଟିକା ଉପଦ୍ୱୀପ ଯାଏ ୩,୫୦୦ କି.ମି. ବିସ୍ତୃତ ଅଞ୍ଚଳରେ ଅବସ୍ଥିତ। ଏଡିନବର୍ଗ ୟୁନିଭର୍ସିଟିର ଗବେଷକ ରୋବର୍ଟ ବିଙ୍ଗ୍‌ହାମ୍‌ କହିଛନ୍ତି, ଏତେ ସଂଖ୍ୟକ ଆଗ୍ନେୟଗିରି ଠାବ ହେବ ବୋଲି ସେମାନେ ଆଶା କରି ନ ଥିଲେ। ସେଠାରେ ଆହୁରି ଅନେକ ଆଗ୍ନେୟଗିରି ଥାଇପାରେ ବୋଲି ଅନୁମାନ କରାଯାଉଛି। ପୂର୍ବ ଆଫ୍ରିକାର ଯେଉଁ ଅଞ୍ଚଳରେ ନିୟାରିଗୋଙ୍ଗୋ, କିଲିମାଞ୍ଜାରୋ ଏବଂ ଲଙ୍ଗୋନୋଟ୍‌ ପର୍ବତମାଳାରେ ଅବସ୍ଥିତ ସେହି କ୍ଷେତ୍ରକୁ ବିଶ୍ୱର ସର୍ବବୃହତ୍‌ ଆଗ୍ନେୟଗିରି କ୍ଷେତ୍ର ବୋଲି ପୂର୍ବରୁ କୁହାଯାଉଥିଲା। ଏବେ ଆଣ୍ଟର୍କଟିକାର ଏହି କ୍ଷେତ୍ର ଉକ୍ତ ମାନ୍ୟତା ଲାଭ କରିଛି। ଆଗ୍ନେୟଗିରି ଉଦ୍‌ଗିରଣ ହେଲେ ବରଫାଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବ। ଫଳରେ ବରଫ ତରଳି ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ବିଙ୍ଗ୍‌ହାମ ସତର୍କ କରାଇଦେଇଛନ୍ତି

LEAVE A REPLY

Please enter your comment!
Please enter your name here