Home ଓଡିଶା ‘ପ୍ରାଣୀ ଆମ୍ବୁଲାନ୍ସ ସେବା’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

‘ପ୍ରାଣୀ ଆମ୍ବୁଲାନ୍ସ ସେବା’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏଣିକି ପଶୁ ବି ପାଇବେ ମଣିଷଙ୍କ ଭଳି ଆମ୍ବୁଲାନ୍ସ ସେବା । ଗୋଟିଏ ଫୋନ୍ କଲରେ ଘରେ ପହଁଚିବ ଆମ୍ବୁଲାନ୍ସ । ଗୁରୁତର ପ୍ରାଣୀଙ୍କୁ ଆମ୍ବୁଲାନ୍ସରେ ଚିିକିତ୍ସା କରାଯିବ ।   ଭୁବନେଶ୍ୱରର ସୂଚନା ଭବନଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଣୀ ଆମ୍ବୁଲାନ୍ସ ସେବାର ଲୋକାର୍ପଣ କରିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଓ କଟକର ସହରାଂଚଳରେ ଏହି ସେବା ମିଳିବ । ‘ଗୋପାଳନ ଏବଂ ଆନୁସାଙ୍ଗିକ ଉଦ୍ୟୋଗ ମାଧ୍ୟମରେ କୃଷକମାନଙ୍କ ଆୟରେ ଅଭିବୃଦ୍ଧି’ ନାମକ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପଣ କରିବା ସହ ‘ମତ୍ସ୍ୟ ପୋଖରୀ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି କର୍ମଶାଳା ଅବସରରେ ୨୩୨ ବୈଷୟିକ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଲୋକସଭା ସାଂସଦ ପ୍ରସନ୍ନ ପାଟଶାଣୀ, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୁରେନ୍ଦ୍ରନାଥ ପଶୁପାଳକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମତ୍ସ୍ୟଚାଷ ପାଇଁ ଆଗ୍ରହୀଙ୍କ ପାଇଁ ‘ଓଡ଼ିଶା କମନ ଆପ୍ଲିକେସନ ପୋର୍ଟାଲ’ ନାମକ ଏକ ଓ୍ବେବସାଇଟ ଆରମ୍ଭ କରାଯାଇଛି ।