Home ଦେଶ ବିଦେଶ ଫିଫା ବିଶ୍ୱକପ୍ ଭବିଷ୍ୟବାଣୀ କରୁଥିବା ବିଲେଇ ମୃତ

ଫିଫା ବିଶ୍ୱକପ୍ ଭବିଷ୍ୟବାଣୀ କରୁଥିବା ବିଲେଇ ମୃତ

ବେଜିଙ୍ଗ,୫ ।୭- ଫିଫା ବିଶ୍ୱକପ୍କୁ ନେଇ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ଏହାର ଭବିଷ୍ୟବାଣୀ କରୁଥିବା ବିଲେଇର ମୃତ୍ୟୁ ଘଟଣା ଅନେକଙ୍କୁ ବ୍ୟଥିତ କରିଛି । ଚାଇନାର ଏହି ଜ୍ୟୋତିଷ ବିଲେଇ କିଛିଦିନ ହେବ ସୋସିଆଲ ମିଡିଆରେ ଥିଲା ଚର୍ଚ୍ଚାରେ । କୁହାଯାଉଥିଲା ପ୍ରାୟ ୬ଟି ମ୍ୟାଚ୍ର ସଠିକ୍ ଭବିଷ୍ୟବାଣୀ କରିଥିଲା ଏହି ବିଲେଇ । ସୂଚନା ମୁତାବକ, ବିଲେଇ ସାମ୍ନାରେ ଦୁଇଟି ପାତ୍ରରେ ଖାଦ୍ୟ ଦିଆଯାଉଥିଲା । ଏହି ପାତ୍ର ପଛ ପଟରେ ଫିଫା ୱାର୍ଲଡ କପ୍ ଖେଳୁଥିବା ୨ଟି ଟିମ୍ର ଫ୍ଲାଗ ଲଗାଯାଉଥିଲା । ବିଲେଇ ଯେଉଁ ପାତ୍ରରୁ ଖାଦ୍ୟ ଖାଉଥିଲା ଓ ବାରମ୍ବାର ଯେଉଁ ପାତ୍ରକୁ ଛୁଉଁଥିଲା ସେହି ଦଳ ବିଜେତା ହେଉଥିଲା । ଏହା ଭିତରେ ସମସ୍ତଙ୍କ ନଜର ଥିଲା ଫାଇନାଲ ମ୍ୟାଚ ଉପରେ । ସେପଟେ ପ୍ୟାଲେସ ମ୍ୟୁଜିୟମ ଚୀନର ୱେବସାଇଟ୍ରେ ଏହି ବିଲେଇର ଏକ ଆକାଉଣ୍ଟ ମଧ୍ୟ ଖୋଲି ସାରିଥିଲା । ହେଲେ କିଛିଦିନ ହେବ ଅସୁସ୍ଥ ଥିବା ଉକ୍ତ ଧୂଷର ରଙ୍ଗର ବିଲେଇଟିର ସୋମବାର ମୃତ୍ୟୁ ହୋଇଥିବା ପ୍ୟାଲେସ ମୁଜିୟମ ସୂଚନା ଦେଇଛି । ଏହାର ବିୟୋଗରେ ସୋସିଆଲ ମିଡିଆ ତଥା ଚାଇନାରେ ଏକ ପ୍ରକାର ଦୁଃଖଦ ପରିବେଶ ସୃଷ୍ଟି ହୋଇଛି ।