Home ଓଡିଶା ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବାରିପଦା : ମୟୁରଭଞ୍ଜ ବାରିପଦାରେ ନିର୍ମାଣ ହୋଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲେଜକୁ ଉଦ୍‌ଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଯୋଗ ଦେଇଥିଲେ । ଉତ୍ତର ଓଡ଼ିଶାର ଏହା ପ୍ରଥମ ମେଡ଼ିକାଲ କଲେଜ ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ଆଜିଠାରୁ କଲେଜର ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ପାଠପଢ଼ା ଆରମ୍ଭ ହୋଇଛି । ଏଥିପାଇଁ ପୂର୍ବରୁ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ଏହି ମେଡିକାଲ କଲେଜର ଉଦ୍‌ଘାଟନ ପରେ ମୟୁରଭଞ୍ଜବାସୀଙ୍କ ଦୀର୍ଘ ୪୦ ବର୍ଷର ସ୍ୱପ୍ନ ପୂରଣ ହୋଇଛି ।  ଏହି ମେଡିକାଲ କଲେଜ ଦ୍ୱାରା କେବଳ ମୟୂରଭଞ୍ଜ ନୁହେଁ ବରଂ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଲୋକମାନେ ସ୍ୱାସ୍ଥ୍ୟସେବା ପାଇପାରିବେ ।  ପଣ୍ଡିତ ରଘୁନାଥ ମୁର୍ମୁ  ମେଡିକାଲ କଲେଜ ପରିସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ମେଡିକାଲ କଲେଜକୁ  ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି କହିଥିଲେ ଯେ , ବାରିପଦାରେ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା  କେବଳ ମୟୂରଭଞ୍ଜ ନୁହେଁ, ବାଲେଶ୍ୱର ସମେତ ପଡ଼ୋଶୀ ରାଜ୍ୟର ବହୁ  ଅଞ୍ଚଳର ସ୍ୱାସ୍ଥ୍ୟସେବାରେ ବହୁତ ଉନ୍ନତି ହୋଇ ପାରିବ । ଏହି ମେଡିକାଲ କଲେଜ ଆରମ୍ଭ ହେବା ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ବାସ୍ତବ ରୂପ ନେଇଛି । ’