ଭୁବନେଶ୍ୱର: ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ତଥା ବହୁଚର୍ଚ୍ଚିତ ରିୟଲିଟି ଶୋ’ ‘ବିଗ୍ବସ୍’ରେ ପ୍ରଥମଥର ପାଇଁ ପ୍ରବେଶ କରିଛନ୍ତି ଜଣେ ଓଡ଼ିଆ । ଓଡ଼ିଶାର ପରିଚିତ ଟେଲିଭିଜନ ହୋଷ୍ଟ ତଥା ଜଣେ ଆଗଧାଡିର ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ ଓରଫ ସଗୁନ୍ ପ୍ରଥମ ଓଡ଼ିଆଭାବେ ବିଗ୍ବସ୍ ଶୋ’ରେ ଭାଗ ନେଇଛନ୍ତି । ଏକ ଘରୋଇ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ରୋଷେଇ କାର୍ଯ୍ୟକ୍ରମରେ ସେ ଆଙ୍କର ଭାବେ କାମ କରି ବେଶ ଲୋକପ୍ରିୟ ହୋଇଥିଲେ ।
ରବିବାରଠାରୁ ବିଗ୍ବସ୍ର ୧୧ ତମ ସଂସ୍କରଣ ଆରମ୍ଭ ହୋଇଛି । ଆଉ ଏହି ସୋକୁ ହୋଷ୍ଟ୍ କରୁଛନ୍ତି ବଲିଓଡ୍ ସୁପରଷ୍ଟାର ସଲମାନ୍ ଖାନ୍ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଅନ୍ୟ ସେଲିବ୍ରିଟିମାନଙ୍କର ପଡୋଶୀ ହେବା ପାଇଁ କେତେଜଣ ସାଧାରଣ ଲୋକଙ୍କୁ ଚୟନ କରାଯାଇଥାଏ । ସେହି ସାଧାରଣ ଲୋକଙ୍କ ମଧ୍ୟରେ ବ୍ରହ୍ମପୁର ସଗୁନ୍ ପ୍ରତିଯୋଗୀ ଭାବେ ମନୋନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟେଲିଭିଜନ ଫେମ୍ ହୀନା ଖାନ୍, ହିତେନ୍ ତେଜ୍ୱାନୀ, ର଼୍ୟାପର୍ ଆକାଶ ଅନିଲ ଦାଦଲାନୀ, ସ୍ପିଲଟ୍ସ ଭିଲା ଏବଂ ରୋଡିସ୍ ଫେମ୍ ତଥା ଭିଜେ(ଭିଡିଓ ଜକି) ବେନାଫ୍ସା ସୁନାୱାଲା, ପ୍ରିୟଙ୍କ ଶର୍ମା, ଶିବାନୀ ଦୁର୍ଗା, ଲଭ୍ ତ୍ୟାଗୀ, ସ୍ୱପ୍ନା ଚୌଧୁରୀ, ଜ୍ୟୋତି କୁମାରୀ, ମେହଜାବୀ ସିଦ୍ଦିକି, ପୁନୀଶ ଶର୍ମା ପ୍ରମୁଖ ବିଗ୍ବସ୍ ହାଉସରେ ପ୍ରବେଶ କରିଛନ୍ତି । ଅନ୍ୟପକ୍ଷରେ ସଗୁନ୍ଙ୍କ ବିଗ୍ବସ୍ ଏଣ୍ଟ୍ରିକୁ ନେଇ ସମଗ୍ର ଓଡ଼ିଶାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଓଡ଼ିଶାବାସୀ ସଗୁନ୍ଙ୍କୁ ବିପୁଳ ପରିମାଣର ଭୋଟ୍ ଦେବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି ।