Home ଓଡିଶା ବିଜେଡି ସାଂସଦ, ବିଧାୟକଙ୍କୁ ଭେଟିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ

ବିଜେଡି ସାଂସଦ, ବିଧାୟକଙ୍କୁ ଭେଟିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ

ଭୁବନେଶ୍ୱର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଆଜି ଭୁବନେଶ୍ୱର ଗସ୍ତରେ ଆସି ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ, ବିଧାୟକମାନଙ୍କୁ ଭେଟିଛନ୍ତି । କୋବିନ୍ଦ ଆଜି ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ବିଜେଡି ଓ ବିଜେପିର ନେତା ତାଙ୍କୁ ସ୍ୱାଗତ କରିଥିଲେ । ପରେ କୋବିନ୍ଦ ରାଜ୍ୟ ଅତିଥିଭବନକୁ ଯାଇ ସେଠାରୁ ସିଧା ବିଧାନସଭାର ସମ୍ମିଳନୀ କକ୍ଷରେ ପହଞ୍ଚିଥିଲେ । ସେଠାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ସ୍ୱାଗତ କରିବା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦଳୀୟ ବିଧାୟକ ଓ ସାଂସଦମାନଙ୍କ ସହିତ କୋବିନ୍ଦଙ୍କୁ ପରିଚୟ କରାଇଥିଲେ । ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହିତ ଶ୍ରୀ କୋବିନ୍ଦ  ପ୍ରାୟ  ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ଏହାପରେ କୋବିନ୍ଦ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ କୋବିନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ନବୀନ ନିବାସର ଖାଦ୍ୟ ଖୁବ୍‌ ସ୍ୱାଦିଷ୍ଟ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନବୀନଙ୍କ ସହଯୋଗ ଲୋଡାଯାଇଛି । ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋବିନ୍ଦଙ୍କୁ ପୂର୍ଣ୍ଣ ସମର୍ଥନ କରାଯିବ । କୋବିନ୍ଦଙ୍କୁ ଭୋଟ ଦେବାକୁ ବିଜେଡିର ସବୁ ସାଂସଦ ଓ ବିଧାୟକଙ୍କୁ କୁହାଯାଇଛି । ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ରାଜ୍ୟ ସଂଗ୍ରହାଳୟ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପାଇଁ ବାହାରିଛନ୍ତି କୋବିନ୍ଦ ।