Home ଖେଳ ଭାରତର ଅବିଶ୍ୱସନୀୟ ବିଜୟ , ବାଂଲାଦେଶ ୪ ଓ୍ଵିକେଟ୍‌ରେ ହାରିଲା

ଭାରତର ଅବିଶ୍ୱସନୀୟ ବିଜୟ , ବାଂଲାଦେଶ ୪ ଓ୍ଵିକେଟ୍‌ରେ ହାରିଲା

0

ରବିବାର ରାତିରେ ଭାରତୀୟ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତିକ (୨୯* ରନ୍‌, ୮ ବଲ୍‌, ୨ ଚୌକା, ୩ ଛକା)ଙ୍କ ବ୍ୟାଟିଂ ଥିଲା ଏମିତି। ସଙ୍କଟଜନକ ସ୍ଥିତିରେ ତାଙ୍କ ଶେଷ ବଲ୍‌ ଛକାରେ ହିଁ ଭାରତ ନିଦାହାସ ଟ୍ରଫି ଜିତିନେଲା। ଅନ୍ତିମ ବଲ୍‌ ସୁଦ୍ଧା ମ୍ୟାଚ୍‌ ବାଂଲାଦେଶ କବ୍‌ଜାରେ ଥିଲା ବେଳେ କାର୍ତିକଙ୍କ ସାହସିକ ବ୍ୟାଟିଂ ଭାରତକୁ ଜବରଦସ୍ତ ବିଜୟ ଦେଲା। ନିର୍ଣ୍ଣାୟକ ମୋଡ଼ରେ ଯୁବ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଚମକହୀନ ବ୍ୟାଟିଂ ଭାରତୀୟ ପ୍ରଶଂସକଙ୍କୁ ଚକିତ କଲା। ମ୍ୟାଚ୍‌ ହାତରୁ ଖସି ଯାଉଥିଲା ବେଳେ କାର୍ତିକଙ୍କ କମାଲ ହିଁ ଭାରତକୁ ଟ୍ରଫି ତୋଳି ଧରିବାର ସୁଯୋଗ ଦେଲା। ୧୬୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତକୁ ଶେଷ ବଲ୍‌ରୁ ୫ ରନ୍‌ ଦରକାର ଥିଲା। ହେଲେ କାର୍ତିକ ଛକା ମାରି କେବଳ ବାଂଲଦେଶ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ଆଣି ନଥିଲେ ଏହି ଦଳ ବିପକ୍ଷରେ ଭାରତର ଅପରାଜେୟ ଟେ୍ଵଣ୍ଟି-୨୦ ଧାରାକୁ ମଧ୍ୟ ଅତୁଟ ରଖିଥିଲେ। ବାମହାତୀ ସୁରେଶ ରାଇନା (୦) ଓ ଶିଖର ଧାଓ୍ଵନ (୧୦)ଙ୍କ ବିଫଳତା ପରେ ଅଧିନାୟକ ରୋହିତ ଶର୍ମା (୫୬ ରନ୍‌, ୪୨ ବଲ୍‌, ୪ ଚୌକା, ୩ ଛକା)ଙ୍କ ଅର୍ଧଶତକ ପାଇଁ ଭାରତ ସହଜ ବିଜୟ ପାଇବ ବୋଲି ଆଶା ଥିଲା। ହେଲେ ବାଂଲାଦେଶ ୦ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ଲୋକେଶ ରାହୁଲ (୨୪) ଓ ମନୀଷ ପାଣ୍ଡେ (୨୮) ଠିକଣା ସମୟରେ ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ହେଲେ ଶେଷରେ କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଭାରତ ୬ ଓ୍ଵିକେଟ୍‌ ବିନିମୟରେ ୧୬୮ ରନ୍‌ କରି ଟ୍ରଫି ଜିତିବାର ସୁଖଦ ଅନୁଭୂତି ପାଇଥିଲା। ବାଂଲାଦେଶ ବିପକ୍ଷରେ ମଧ୍ୟ ଭାରତ ଲଗାତାର ଅଷ୍ଟମ ବିଜୟ ହାସଲ କରିଥିଲା। ଏହି ବିଜୟର ନାୟକ କାର୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here