Home Uncategorized ମହାବାତ୍ୟାକୁ ଆଜି ପୁରିଛି ୧୮ ବର୍ଷ, ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ପ୍ରଶମନ

ମହାବାତ୍ୟାକୁ ଆଜି ପୁରିଛି ୧୮ ବର୍ଷ, ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ପ୍ରଶମନ

0

ଭୁବନେଶ୍ୱର : ମହାବାତ୍ୟାକୁ ଆଜି ପୁରିଛି ୧୮ ବର୍ଷ । ୧୯୯୯ ମହାବାତ୍ୟା ଓଡିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା । ଶକ୍ତି ଅନୁସାରେ ଏହି ଭାରତ ମହାସାଗର ଅଞ୍ଚଳର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ ଥିଲା । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା  । ଜଗତସିଂହପୁର ଜିଲାର ଏରସମା ଅଞ୍ଚଳ ସମେତ ରାଜ୍ୟର ପ୍ରାୟ ୧୫ଟିରୁ ଅଧିକ ଜିଲା ହୋଇଥିଲା ଧ୍ୱଂସବିଧ୍ୱଂସ । ହଜାର ହଜାର ଲୋକଙ୍କ ଜୀବନଦୀପ ଲିଭି ଯାଇଥିଲା । ରିପୋର୍ଟ ଅନୁଯାୟୀ, କେବଳ ପାରାଦୀପ, ଏରସମା ଓ ବାଲିକୁଦାରେ ପାଖାପାଖି ୧୦ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ହଜାର ହଜାର ଗୃହପାଳିତ ପଶୁ ଭାସି ଯାଇଥିଲେ । ରାଜ୍ୟ ସରକାର ବି ରିପୋର୍ଟରେ ୯,୮୮୫ଜଣଙ୍କର ପ୍ରାଣହାନୀ ଘଟିଥିବା ଦର୍ଶାଇଥିଲେ । ଏଥିସହିତ, ୧୩ ଲକ୍ଷ ହେକ୍ଟରର ଧାନ-ବିରି ଫସଲ, ୧.୭୬ ଲକ୍ଷ ହେକ୍ଟରର ପରିବା ଚାଷ ଏବଂ ୨.୭୫ ଲକ୍ଷ ହେକ୍ଟରର ଅନ୍ୟାନ୍ୟ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । ଏହାସହ ୨୨,୧୪୩ଟି ମାଛଧରା ଜାଲ ନଷ୍ଟ ହୋଇଥିବା ବେଳେ ୯,୦୮୫ଟି ଡଙ୍ଗାର ଟେର୍ ମିଳିନଥିଲା । ସେହିପରି ୩ ଲକ୍ଷ ୧୫ ହଜାର ୮୮୬ ଗୃହପାଳିତ ପଶୁ, ୧୮ଲକ୍ଷ ୮୩ ହଜାର ୪୬୮ଟି କୁକୁଡ଼ା ଓ ଅନ୍ୟାନ୍ୟ ପକ୍ଷୀ ଏବଂ ୩ ଲକ୍ଷ ୧୬ ହଜାର ଛୋଟ ଛୋଟ ପଶୁ ପ୍ରାଣ ହରାଇଥିଲେ । ଏହା ବ୍ୟତୀତ ଆହୁରି ଅନେକ ପଶୁ, ପକ୍ଷୀଙ୍କର ପତ୍ତା ମିଳିନଥିଲା । ସେତେବେଳେ ସାରା ଦେଶ ଏହି ମହାବାତ୍ୟାର ରୂପ ଦେଖି ଡରି ଯାଇଥିଲା ।

ମହାବାତ୍ୟାର ୧୮ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପ୍ରଶମନ ପାଠ ସାମିଲ ହେବା ନେଇ ଆଜି  ଗଣଶିକ୍ଷା ସଚିବ ତଥା ଓସଡମା ଏମଡି ପ୍ରଦୀପ୍ତ ମହାପାତ୍ର  ସୂଚନା ଦେଇଛନ୍ତି ।  ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ସେ ଏହା କହିଛନ୍ତି । ସେ ଆହୁରି କହିଛନ୍ତି,“ବନ୍ୟା ଓ ବାତ୍ୟା ସମୟରେ କ’ଣ କରିବାକୁ ପଡ଼ିବ ସ୍କୁଲରେ ସେନେଇ ପିଲାଙ୍କୁ ଶିକ୍ଷା ଦିଆଯିବ।”

LEAVE A REPLY

Please enter your comment!
Please enter your name here