Home ଓଡିଶା ମାହାଙ୍ଗାରେ ଭାଜପାର ମିଶ୍ରଣ ପର୍ବ ଓ ସଂକଳ୍ପ ସମାବେଶ

ମାହାଙ୍ଗାରେ ଭାଜପାର ମିଶ୍ରଣ ପର୍ବ ଓ ସଂକଳ୍ପ ସମାବେଶ

ମାହାଙ୍ଗା – ଶୁକ୍ରବାର ଅପରାହ୍ନରେ ମାହାଙ୍ଗା ବ୍ଲକ ସନ୍ନିକଟ ବଣୁଆ ମହାପୁରୁଷଙ୍କ ପୀଠ ନିକଟରେ ମାହାଙ୍ଗା ଭାଜପା ତରଫରୁ ଏକ ମିଶ୍ରଣ ପର୍ବ ଓ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମାବେଶରେ ମାହାଙ୍ଗାର ଲଢୁଆ ଯୁବନେତା ତଥା ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଶାରଦା ପ୍ରଧାନ ଆନୁଷ୍ଠାନିକ ଭାବେ ତାଙ୍କର ଶହ ଶହ ସମର୍ଥକଙ୍କ ସହ ଭାଜପାରେ ଯୋଗଦାନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କ୍ଷମତା ପାଇଁ ରାଜନୀତି କରୁନାହାଁନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଭାଜପା ଉପସଭାପତି ନୟନ କିଶୋର ମହାନ୍ତି, ମାହାଙ୍ଗାର ବରିଷ୍ଠ ଭାଜପାନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ରାଜ୍ୟ ସଂପାଦକ ଦିଲି କୁମାର ମଲ୍ଲିକ,ସମୀର ସାମଲ, ମୁଖପାତ୍ର ତଥା ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, କାଳନ୍ଦୀ ସାମଲ, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, କେନ୍ଦ୍ରାପଡା ଭାଜପା ନେତା ବିଷ୍ଣୁ ଦାସ, ସମୀର ମହାନ୍ତି, କେନ୍ଦ୍ରାପଡା ଜିଲ୍ଲା ଉପସଭାନେତ୍ରୀ ଉର୍ମିଳା ସେଠୀ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ । ଏହି ମିଶ୍ରଣପର୍ବ ସଂକଳ୍ପ ସମାବେଶରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୪୦ ହଜାରରୁ ଉର୍ଦ୍ଧ ଭାଜପା କର୍ମୀ ଓ ମାହାଙ୍ଗା ବିକାଶ ପରିଷଦର କର୍ମୀମାନେ ଭାଗନେଇଥିଲେ । ମାହାଙ୍ଗା ବିକାଶ ପରିଷଦର ଭାଜପାରେ ଲୀନ ହେବା ଘଟଣା ଆଗାମୀ ବିଧାନସଭା ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ସମୀକରଣ ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଗତ ମେ’ ମାସରେ ମାହାଙ୍ଗାରେ ପାଣିଟାଙ୍କି ଉଦ୍‍ଘାଟନ ସମୟରେ ସ୍ଥାନୀୟ ବିଜଦ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ କର୍ମୀ ଆକ୍ରମଣ କରଥିଲେ । ଅଣ୍ଡା, ପଥର ମାଡ଼ କରିଥିଲେ । ଶୁକ୍ରବାର ମାହାଙ୍ଗାରେ ଧର୍ମେନ୍ଦ୍ର ବୈଜୟନ୍ତଙ୍କୁ ଆକ୍ରମଣ ଓ ନିକଟରେ ତାଳସାରୀ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଣ୍ଡାମାଡ଼ ଘଟଣାର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପିତ କରିଥିଲେ । ସେ କଟାକ୍ଷ କରି କହିଥିଲେ ଯେ ବିଜଦର କର୍ମୀମାନେ ଜଣେ ଜଣେ ପଣ୍ଡିତଙ୍କ ପୁଅ । ସେମାନେ ମାଙ୍କଡ଼ ମାରିଲେ ଦୋଷ ଲାଗିବ ନାହିଁ । ତେଣୁ ମେ’ ମାସରେ ଦଳର ସାଂସଦଙ୍କୁ ଅଣ୍ଡା ମାରିଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଧରିନଥିଲା । ମାତ୍ର ତଳସାରୀଠାରେ ଜଣେ ମହିଳାଙ୍କୁ ପୁରୁଷ ପୁଲିସ ଓ ପୁରୁଷ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମାଡ଼ ମାରିବା ସହ ତାଙ୍କ ସହ ଅସଦାଚରଣ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବରଂ ମହିଳାଙ୍କ ନାମରେ ୩୦୭ ଦଫାର ମାମଲା ରୁଜୁ ହୋଇଛି । ଏହା ହେଉଛି ନବୀନ ସରକାରଙ୍କ ମହିଳାଙ୍କ ପ୍ରତି ସମ୍ମାନର ଉଦାହରଣ । ଏହି ବିଶାଳ ସଙ୍କଳ୍ପ ଓ ମିଶ୍ରଣ ସମାବେଶରେ କଟକ ଜିଲ୍ଲା ଭାଜପା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଗଭୀର ଭାବେ ଆଲୋକପାତ କରିଥିଲେ । ଟଙ୍କିକିଆ ଚାଉଳ ଓ ଉଜ୍ୱଳା ଯୋଜନାରେ ମହିଳାଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦେବା ସହ ଦେଶର ଅର୍ଥନୈତିକ ପରିବର୍ତ୍ତନ ପାଇଁ ବ୍ୟାପକ ପଦକ୍ଷେପ ସର୍ବୋପରି ଚଳିତ ବଜେଟରେ ମୋଦି ସରକାର କୃଷକ ମାନଙ୍କ କଲ୍ୟାଣ ନିମନ୍ତେ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବାର ପ୍ରକାଶ କରିଥିଲେ । ରାଜ୍ୟରେ ନବୀନ ସରକାର ଦୀର୍ଘ ୧୮ ବର୍ଷ ଧରି ଶାସନ ଜାରି ରଖିଥିଲା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିର୍ଯ୍ୟସ୍ତ ହୋଇ ପଡିଥିଲା ବେଳେ ଦଶରଥପୁରରେ ବିଜଦ କର୍ମୀଙ୍କ ଦ୍ୱାରା ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ କୁନ୍ଦୁଲି ଭଳି ଅଂଚଳରେ ଦଳିତ ନାବାଳିକା ସସ୍ମିତା ଗଣ ଧର୍ଷଣର ଶୀକାର ହୋଇ ନ୍ୟାୟ ନପାଇବା କାରଣରୁ ଆତ୍ମହତ୍ୟା କଲାବୋଲି ଧର୍ମେନ୍ଦ୍ର ପ୍ରକାଶ କରିଥିଲେ । ଓଡିଶାବାସୀ ସର୍ବୋପରି ସଚେତନ ମାହାଙ୍ଗାବାସୀ ଭାଜପା ପ୍ରତି ସମର୍ଥନର ହାତ ବଢାଇବା ନିମନ୍ତେ ଶ୍ରୀ ପ୍ରଧାନ ନିବେଦନ କରିଥିଲେ । ମାହାଙ୍ଗା ବାସୀ ଆଗାମୀ ସାଧାରଣ ନିର୍ବାଚନରେ ନବୀନ ସରକାରଙ୍କୁ କ୍ଷମତାଚ୍ୟୁତ କରାଇବାକୁ ଆହ୍ୱାନ ଦେବାସହ ଆଗାମୀ ନିର୍ବାଚନରେ ଓଡିଶାରେ ଭାଜପା ସରକାର ଗଠନ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।