Home Uncategorized ମେଣ୍ଟ ହେବନି, ଓଡ଼ିଶାରେ ଆମେ ଏକା ଲଢିବୁ- ଅମିତ ଶାହା

ମେଣ୍ଟ ହେବନି, ଓଡ଼ିଶାରେ ଆମେ ଏକା ଲଢିବୁ- ଅମିତ ଶାହା

0

ଭୁବନେଶ୍ୱର: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶାରେ ମିଶନ ୧୨୦କୁ ସାକାର କରିବା ପାଇଁ ତିନି ଦିନିଆ  ଓଡିଶା ଗସ୍ତରେ ଆସିଛନ୍ତି । ଆଜି ବିଜେପି ପାର୍ଟି କାର୍ଯ୍ୟାଳୟରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅମିତ ଶାହା ଭେଟିଛନ୍ତି । ଏହି ଅବସରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।   ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କୌଣସି ଦଳ ସହିତ ଆସନ ବୁଝାମଣା କରିବ ନାହିଁ,   ବିଜେଡି ସହିତ ତ ବିଲକୁଲ ନୁହେଁ ବୋଲି ଆଜି  ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା କହିଛନ୍ତି । ତେବେ ୨୦୧୯ ନିର୍ବାଚନରେ କିଏ ହେବ ରାଜ୍ୟରେ ବିଜେପିର  ସେନାପତି   ସେନେଇ କିଛି ସ୍ପଷ୍ଟ  କରି ନାହାନ୍ତି । ଏବିଷୟରେ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଅମିତ ଶାହା ଗଣମାଧ୍ୟମର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ । ତେବେ  ଭାରତୀୟ ଜନତା ପାର୍ଟି ପ୍ରତି ଓଡ଼ିଶାର ଲୋକଙ୍କର ଯେପରି ଆଗ୍ରହ ବୃଦ୍ଧିି ହୋଇଛି ସେଥିରୁ ଆଗାମୀ ନିର୍ବାଚନରେ ଦଳ ରାଜ୍ୟରେ ୧୨୦ରୁ ଅଧିକ ବିଧାନସଭା ଆସନରୁ ବିଜୟୀ ହେବ ବୋଲି ସେ ତାଙ୍କ କଥାକୁ ଦୋହରାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ,  ଏଠି ବିଜେଡି, କଂଗ୍ରେସ ଖସିବେ ବିଜେପି ଆଗେଇବ । ସାରା ଦେଶର ଏହା ଟ୍ରେଣ୍ଡ, ଏଠି ବି ସେୟା ହେବ ।
  ଶାହା ଧାନର ସହାୟକ ମୂଲ୍ୟ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଧାନର ଯେଉଁ ସହାୟକ ମୂଲ୍ୟ ଦିଆଯାଉଛି ତାହା କେନ୍ଦ୍ର ସରକାର ଦେଉଛନ୍ତି । ରାଜ୍ୟ ସରକାରଙ୍କର ମଧ୍ୟ କୃଷକମାନଙ୍କ ପ୍ରତି  ଯେ କିଛି ଦାୟିତ୍ୱ ଅଛି ଏହା ନବୀନ ପଟ୍ଟନାୟକ ଭୁଲି ଯାଇଛନ୍ତି । ନବୀନ ବାବୁ ପ୍ରଥମେ ଧାନର ଯେଉଁ ସହାୟକ ମୂଲ୍ୟ ଦିଆଯାଉଛି  ତାହା କେନ୍ଦ୍ର ଦେଉଛି ବୋଲି ସ୍ୱୀକାର କରନ୍ତୁ ଏବଂ ଆହୁରି ମଧ୍ୟ କୃଷକମାନଙ୍କ ପାଇଁ ସେ କିଛି କରି ପାରିବେ ନାହିଁ ଘୋଷଣା କରନ୍ତୁ ବୋଲି ଅମିତ ଶାହା ଆହ୍ଵାନ ଦେଇଛନ୍ତି ।
ଶାହା କେନ୍ଦ୍ରରେ ମୋଦି ସରକାର ତିନିବର୍ଷ ପୂରଣ କରିଥିବା କହି ଏହି ବର୍ଷ ମଧ୍ୟରେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିଥିବା ପ୍ରକାଶ କରିଛନ୍ତି । ଏହି ସମୟ ମଧ୍ୟରେ ୭ କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟରେ ଯୋଡି ହୋଇଛନ୍ତି ଓ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏନଡିଏ ସରକାର କାମ କରୁଥିବା କହିଛନ୍ତି ।
 ଅମିତ ଶାହା ଏହି ଅବସରରେ ଆରମ୍ଭରୁ ହିଁ ସିଧାସଳଖ ଭାବେ ରାଜ୍ୟସରକାରଙ୍କୁ ଟାର୍ଗେଟ କରିଥିଲେ ।  ୧୭ ବର୍ଷରେ ରାଜ୍ୟରେ ଯେତିକି ବିକାଶ ହେବା କଥା ହୋଇ ନାହିଁ । ଏହି ସରକାରଙ୍କ ସମୟରେ  ଚିଟଫଣ୍ଡ ଓ ଖଣି ଦୁର୍ନୀତି ହୋଇଛି ବୋଲି ଶାହା କହିଛନ୍ତି । ଦାନ ମାଝୀ ପ୍ରସଙ୍ଗରେ ରାଜ୍ୟର ସମ୍ମାନହାନି ହୋଇଛି ବୋଲି ସେ କହିଛନ୍ତି । ରାଜ୍ୟରେ ବିକାଶର ଧାରା ବଜାୟ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ସରକାର ଅନୁଦାନ ଦେଲେ ବି ରାଜ୍ୟ ସରକାର ତାକୁ ଠିକ ଭାବେ ବିନିଯୋଗ କରି ପାରୁନାହାନ୍ତି ବୋଲି ସେ କହିଛନ୍ତି ।
 ମହାନଦୀ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ  ସେ କହିଛନ୍ତି ଯେ, ମହାନଦୀ ସମସ୍ୟାର ସମାଧାନ ପାଇଁ ଟ୍ରିବୁନାଲ ଗଠନ ପାଇଁ ଯୋଜନା କରାଯାଉଛି । ଖୁବ୍‌ ଶୀଘ୍ର ଏ ନେଇ ପଦକ୍ଷେପ ନିଆଯିବ । ତେବେ ମହାନଦୀରୁ ଓଡ଼ିଶାର ପ୍ରାପ୍ୟ ୧ ଲିଟର ପାଣି ମଧ୍ୟ କମ୍‌ ହେବ ନାହିଁ ବୋଲି ଶାହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here