Home Uncategorized ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ,ଆଲୋଚନା ବିଫଳ

ରାଜ୍ୟବ୍ୟାପୀ ବସ୍‌ ଧର୍ମଘଟ,ଆଲୋଚନା ବିଫଳ

0
ଭୁବନେଶ୍ୱର – ବୁଧବାରଠାରୁ ହେଉଛି ଅନିର୍ଦ୍ଦିଷ୍ଟକାଳ ଯାଏ ରାଜ୍ୟବ୍ୟାପୀ ଧର୍ମଘଟ | ବୁଧବାର ରାଜବ୍ୟାପୀ ବସ୍‌ ଧର୍ମଘଟ କରିବାକୁ ରାଜ୍ୟ ବସ୍‌ ମାଲିକ ସଂଘ ପୁର୍ବରୁ ଘୋଷଣା କରିଥିଲା । ମଙ୍ଗଳବାର ରାଜ୍ୟ ପରିବହନ ମନ୍ତ୍ରୀ ଓ ବସ୍‌ ମାଲିକ ସଂଘଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ନପାରିବାରୁ ସଂଘର କାର୍ଯ୍ୟନିର୍ବାହୀ କମିଟିର ପ୍ରସ୍ତାବିତ ବସ୍‌ ଧର୍ମଘଟ ନିଷ୍ପତ୍ତି କାଏମ୍‌ ରହିଲା ବୋଲି ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି ।
ଧର୍ମଘଟ ଫଳରେ ରାଜ୍ୟର ୧୭ ହଜାର ବସ୍‌ ଚକା ଗଡ଼ିବ ନାହିଁ । ଏହି ଧର୍ମଘଟରୁ ଟାଉନ୍‌ ବସ୍‌ ଓ ସ୍କୁଲ୍‌ ବସ୍‌କୁ ବାଦ୍‌ ଦିଆଯାଇଛି । ମଙ୍ଗଳବାର ଅପରାହ୍ନ ୫ଟାରେ ଆଲୋଚନା ପାଇଁ ରାଜ୍ୟ ପରିବହନ ମନ୍ତ୍ରୀ ଡ. ନୃସିଂହ ସାହୁଙ୍କ ସହ ସଚିବାଳୟରେ ବସ୍‌ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନା ପରେ ପରିବହନ ମନ୍ତ୍ରୀ କହିଥିଲେ ଯେ, ଧର୍ମଘଟକୁ ସେମାନେ ପ୍ରତ୍ୟାହାର କରିନେବେ ବୋଲି ଆଶା ରହିଛି । କିନ୍ତୁ ଏହି ଆଲୋଚନା ପରେ ସଂଘ କାର୍ଯ୍ୟନିର୍ବାହୀ କମିଟିର ଏକ ଜରୁରୀ ବୈଠକରେ ବସ୍‌ ଧର୍ମଘଟ ହେବ ବୋଲି ନିଷ୍ପତ୍ତ ନିଆଯାଇଥିବା ନେଇ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଥିଲେ । ସିଟିବସ୍‌ ଚଳାଚଳର ସୀମା ନିର୍ଦ୍ଧାରଣ, ଟୋଲ୍‌ ଫି’ ଆଦାୟ ଉଚ୍ଛେଦ, ମୋଟରଯାନ ଟିକସ ସମୟସାରଣୀ ନିର୍ଦ୍ଧାରଣ କରିବା ପରେ ନୂତନ ପରମିଟ୍‌ ପ୍ରଦାନ ଏବଂ ଘାଟି ଅଞ୍ଚଳ, ଖରାପ ରାସ୍ତା ପାଇଁ ସ୍ୱତନ୍ତ୍ର ଯାତ୍ରୀ ଭଡ଼ା ନିର୍ଦ୍ଧାରଣ, ବର୍ଦ୍ଧିତ ବୀମା ରାଶି ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଅନୁରୋଧ କରିବା, ଛୋଟ ଗାଡ଼ିଗୁଡ଼ିକର ବେଆଇନ ପରିବହନ ବନ୍ଦ କରିବା, ରାଜ୍ୟରେ ବସ୍‌ଷ୍ଟାଣ୍ଡଗୁଡିକର ଉନ୍ନତି ଆଦି ଦାବି ନେଇ ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟ ଡାକରା ଦେଇଛି ।