ଭୁବନେଶ୍ୱର- ଆଜି ରାଜ୍ୟର ପାଖାପାଖି ୧୨ଟି ଜେଲ୍ରେ ପୋଲିସ୍ ପକ୍ଷରୁ ରେଡ୍ କରାଯାଇଛି । ଝାରପଡା ଓ ଚୌଦ୍ୱାର ଜେଲ୍ରେ କମିଶନରେଟ୍ ପୋଲିସ୍ ଚଢାଉ କରିଛି । ଭୁବନେଶ୍ୱର ଓ କଟକ ଡିସିପିଙ୍କ ନେତୃତ୍ୱରେ ଏହି ରେଡ୍ ଚାଲିଛି । ସେହିଭଳି ବାଲେଶ୍ୱର, କେନ୍ଦୁଝର, ବ୍ରହ୍ମପୁର, କୋରାପୁଟ, ସମ୍ବଲପୁର ଆଦି ଜେଲ୍ରେ ମଧ୍ୟ ରେଡ୍ ଚାଲିଛି । ବିଭିନ୍ନ ଅଭିଯୋଗ ଆଧାରରେ ରାଜ୍ୟର ବିଭିନ୍ନ ଜେଲ୍ରେ ଆଜି ଭୋରରୁ ରେଡ୍ ଚାଲିଛି । ଝାରପଡା ଓ ଚୌଦ୍ୱାର ଜେଲ୍ରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଝାରପଡା ଜେଲ୍ରେ ହାଇପ୍ରୋଫାଇଲ୍ କଏଦୀମାନେ ରହଥାନ୍ତି। ଏତେ କଡା ସୁରକ୍ଷା ଭିତରେ ମଧ୍ୟ ଜେଲ୍ରୁ ଗୁଟ୍ଖା, ସିଗାରେଟ୍, ବିଡି ଆଦି ମିଳିବା ଆଶ୍ଚର୍ଯ୍ୟ କରିଛି । ସେହିଭଳି ଚୌଦ୍ୱାର ମେଡିକାଲ୍ ସେଲ୍ରୁ ଏକ ଏଲ୍ଇଡି ଟିଭି ଜବତ ହୋଇଛି । ଉକ୍ତ ସେଲ୍ରେ ଶିଳ୍ପପତି ମହିମା ମିଶ୍ର ରହୁଥିଲେ ବୋଲି ସୂଚନା ମିଳିଛି । ଚୌଦ୍ୱାର ଜେଲ୍ରୁ ବିଡି, ଦାମୀ ସିଗାରେଟ୍, ଗୁଟ୍ଖା ଆଦି ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟ ସହ ନଗଦ ଦଶ ହଜାର ଟଙ୍କା ଜବତ ହୋଇଛି । ରାଜ୍ୟର ବିଭିନ୍ନ ଜେଲ୍ରୁ ବିଭିନ୍ନ ପ୍ରକାର ଆପତ୍ତିଜନକ ଜିନିଷ ମିଳିବା ପରେ ଆଇଜି ଅରୁଣ ରାୟ ସୂଚନା ଦେଇଛନ୍ତି ଯେ, ଘଟଣାରେ ଜେଲ୍ ୱାର୍ଡେନଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେବ । ପୋଲିସ୍ ଓ ପ୍ରଶାସନର ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।