Home Uncategorized ରାୟଗଡ଼ା କଲ୍ୟାଣସିଂହପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ରାୟଗଡ଼ା କଲ୍ୟାଣସିଂହପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

0
ରାୟଗଡ଼ା: ଲଗାତାର ବର୍ଷା ଯୋଗୁଁ ନାଗାବଳୀ ଏବଂ କଲ୍ୟାଣୀ ନଦୀରେ ବନ୍ୟା ଆସିଛି ।  ପାଣି ଘେରରେ କଲ୍ୟାଣସିଂହପୁର ରହିଛି । ଜନସାଧାରଣ ଭୟରେ ତହସିଲ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି । ଅନେକ ଲୋକ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାରେ ଭାସିଯାଇଛି କଳ୍ୟାଣୀ ପୋଲ । ପୋଲ ଉପରେ ୮ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଛି । ବନ୍ୟାରେ ଧୋଇଯାଇଛି ପାତ୍ରପୁର ରେଳଲାଇନ୍ । ଦକ୍ଷିଣ ଓଡିଶାରୁ ପଶ୍ଚିମ ଓଡିଶାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କଲ୍ୟାଣସିଂହପୁରର ତହସିଲ୍‌ ଅଫିସ୍‌, ସାନବ୍ରାହ୍ମଣୀ ଓ ବଡ଼ବ୍ରାହ୍ମଣୀ ରାସ୍ତା  ବଢ଼ିପାଣିରେ ଉବୁଟୁବୁ ହେଉଛି । ବନ୍ୟାଞ୍ଚଳରେ ମୋବାଇଲ୍‌ ଏବଂ ଇଣ୍ଟର୍‌ନେଟ୍‌ ସେବା ବ୍ୟାହତ ହୋଇଥିବା ଜଣାପଡ଼ିଛି । ୫ ରୁ ୬ ଫୁଟ ପାଣିରେ ବୁଡିରହିଛି ରାସ୍ତାଘାଟ ଓ ଘରଦ୍ୱାର । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ‘ ଉଦ୍ଧାର କାର୍ଯ୍ୟରେ ସିଆର୍‌ପିଏଫ୍‌ ଓ ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି । ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବନ୍ୟାଞ୍ଚଳକୁ ପଠାଯାଇଛି ଓଡ୍ରାଫ ଟିମ୍‌ । ବନ୍ୟା ପରିସ୍ଥିତି ଗମ୍ଭୀର ଥିବାରୁ ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ୪ଟି ହେଲିକପ୍ଟର କେନ୍ଦ୍ରକୁ ମାଗିଛନ୍ତି’ ବୋଲି ଏସ୍‌ଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଇତିମଧ୍ୟରେ ରାୟଗଡା ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ ଡକାଇଥିଲେ । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆବଶ୍ୟକସ୍ଥଳେ ସେନାର ସହାୟତା ନିଆଯିବ ।’