Home Uncategorized ଲଘୁଚାପ ପ୍ରଭାବ: ୯ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବ: ୯ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି । ସମୁଦ୍ର ମଧ୍ୟରେ ଏହା ଘଣ୍ଟାପ୍ରତି ୩୫ କିଲୋମିଟର ବେଗରେ ଗତି କରି ଆଜି ଅପରାହ୍ଣ ୨ଟା ବେଳକୁ ଗୋପାଳପୁର ତଟର ଦକ୍ଷିଣ-ପୂର୍ବ ଦିଗରେ ୭୯୦ କିଲୋମିଟର ଦୂରରେ ରହିଛି । ଏହା କ୍ରମଶଃ ସମୁଦ୍ର ଭିତରେ ଉତ୍ତର- ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ଅବପାତ (ଡିପ୍‌ ଡିପ୍ରେସନ୍‌)ରେ ରୂପାନ୍ତରିତ ହୋଇ ୮ ତାରିଖ ମଧ୍ୟରାତ୍ରରୁ ୯ ତାରିଖ ସକାଳ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୮ ତାରିଖରୁ ରାଜ୍ୟର ଦକ୍ଷିଣାଞ୍ଚଳ ଓ  ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୯ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୮ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡା  ସହ ଉପକୂଳ ବର୍ତ୍ତୀ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । ୯ ତାରିଖରେ ଉପକୂଳ ଓଡିଶା ସହ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା,ପୁରୀ, କଟକ, କେନ୍ଦ୍ରପଡା ଓ ଯାଜପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୦ ତାରିଖରେ ଉପକୂଳ ଓଡିଶା ସହ ଅଭ୍ୟନ୍ତରୀଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରପଡା ,ଯାଜପୁର, ଭଦ୍ରକ, ବାଲେଶ୍ୱର, ଓ ଜଗତ ସିଂ ପୁରରେ ପ୍ରବଳବର୍ଷା ସମ୍ଭାବନା ରହିଛି । ୧୧ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିବ । ଦକ୍ଷିଣ ଓ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।  ଭଦ୍ରକ, ବାଲେଶ୍ୱର, ଜଗତସିଂପୁର, ଯାଜପୁର, କେନ୍ଦୁଝରଗଡ, ମୟୁରଭଞ୍ଜ ଓ ଢେଙ୍କାନାଳରେ କେତକ ସ୍ଥାନରେ ପ୍ରବଳ ବର୍ଷା ହୋଇ ପାରେ । ୧୨ ତାରିଖ ପର ଠାରୁ ବର୍ଷା କମିଯିବ ବୋଲି ଭୁବନେଶ୍ୱର  ଆଞ୍ଚଳିକ ପାଣିପାଗ କେନ୍ଦ୍ର  ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ୭ ତାରିଖ ଅପରାହ୍ଣରୁ ୧୦ ରାତିଖ ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।  ଲଘୁଚାପକୁ ଦୃଷ୍ଟିରେ ରଖି ପାରାଦୀପ ଓ ଗୋପାଳପୁର ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ରାଜ୍ୟରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଦକ୍ଷିଣ ଓ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସତର୍କ ସୂଚନା ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here