Home Uncategorized ଶିକ୍ଷକ ଆନ୍ଦୋଳନ ସ୍ଥଗିତ : ଉଚ୍ଛେଦ ହେଲା ବ୍ଲକ ଗ୍ରାଣ୍ଟ,ପୂରା ଦରମା ପାଇବେ ଶିକ୍ଷକ

ଶିକ୍ଷକ ଆନ୍ଦୋଳନ ସ୍ଥଗିତ : ଉଚ୍ଛେଦ ହେଲା ବ୍ଲକ ଗ୍ରାଣ୍ଟ,ପୂରା ଦରମା ପାଇବେ ଶିକ୍ଷକ

0

ଭୁବନେଶ୍ୱର: ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି, ପୂରଣ ହୋଇଛି ବ୍ଲକ ଗ୍ରାଣ୍ଟ ଶିକ୍ଷକ-ଅଧ୍ୟାପକଙ୍କ ଦାବି । ଶେଷରେ ବ୍ଲକଗ୍ରାଣ୍ଟ ଉଚ୍ଛେଦ କଲେ ରାଜ୍ୟ ସରକାର । ବ୍ଲକଗ୍ରାଣ୍ଟ ସ୍ଥାନରେ ଗ୍ରାଣ୍ଟ ଇନ୍ ଏଡ୍ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ହେବା ପରେ ୧୭ ଦିନରୁ ଚାଲିଥିବା ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ଆଜି ଶିକ୍ଷକ ସଂଘ ପକ୍ଷରୁ ଘୋଷଣା କରାଯାଇଛି ।

ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଣିକି ଶିକ୍ଷକମାନେ ପୂରା ଦରମା ପାଇବେ । ସରକାର ବ୍ଲକ ଗ୍ରାଣ୍ଟକୁ ସମ୍ପୁର୍ଣ୍ଣ ଭାବରେ ଉଚ୍ଛେଦ କରିଛନ୍ତି । ବ୍ଲକ ଗ୍ରାଣ୍ଟ ସ୍ଥାନରେ ଗ୍ରାଣ୍ଟ ଇନ୍‌ ଏଡ୍‌ ଲାଗୁ ହେବ । ଏଣିକି ସମସ୍ତ ଶିକ୍ଷକ ଓ ଅଧ୍ୟାପକ ପୂରା ଦରମା ପାଇବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ । ଏହି ଘୋଷଣା ପରେ ରାଜ୍ୟର ପ୍ରାୟ ୪୭ ହଜାର ଶିକ୍ଷକ ଲାଭବାନ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ଘୋଷଣା ୨୦୧୮,ଜାନୁଆରୀ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ ବୋଲି ଘୋଷଣାରେ କୁହାଯାଇଛି । ତେବେ ସେମାନଙ୍କ ପାଇଁ ସପ୍ତମ ବେତନ ଆୟୋଗ ମୁତାବକ ଦରମା ଲାଗୁ ହେବନାହିଁ ବରଂ ସେମାନେ ସମ୍ପୂର୍ଣ୍ଣ ଦରମା ପାଇବେ ବୋଲି କୁହାଯାଇଛି । ଏହାପରେ ସରକାରଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ଏବଂ ଶିକ୍ଷକଙ୍କ ଦରମା ସହ ଅନ୍ୟ ସୁବିଧାସୁଯୋଗର ରୂପରେଖ ପ୍ରସ୍ତୁତ ହେବ ବୋଲି କୁହାଯାଇଛି । ଶିକ୍ଷକ ସଂଘ ପକ୍ଷରୁ କରାଯାଇଥିବା ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦୁଇ ମାସ ସମୟ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here