Home Uncategorized ଶ୍ରେଷ୍ଠ ପ୍ରଶାସକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ

ଶ୍ରେଷ୍ଠ ପ୍ରଶାସକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ

0

ପୁନେ: ଶ୍ରେଷ୍ଠ ପ୍ରଶାସକ ପରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଇଡଲ ସିଏମ ବା ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ପୁଣେ କଥାରୁଡସ୍ଥିତ ମହାରାଷ୍ଟ୍ର ବୈଷୟିକ ପ୍ରତିଷ୍ଠାନ- ବିଶ୍ୱଶାନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ।

ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ୟୁନେସ୍କୋ ମାନବାଧିକାର ବେଞ୍ଚ ଓ ଆଇଏମଟି ସ୍କୁଲ ଅଫ ଗଭର୍ଣ୍ଣାନ୍ସ ପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟଲୁକ ମାଗାଜିନ ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ପ୍ରଦାନ କରାଯାଇଥିଲା।

ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ନବୀନ ପଟ୍ଟନାୟକ ଏହାକୁ ଓଡିଶା ବାସୀଙ୍କୁ ଉତ୍ସଗ କରିଛନ୍ତି । ଓଡିଶାବାସୀଙ୍କ ଭଲ ପାଇବା ଯୋଗୁଁ ସେ ଏହା ପାଇଥିବା କହିଛନ୍ତି । ରାଜନୀତି ଏକ କଠିନ କାମ ନୁହେଁ ସମସ୍ତଙ୍କୁ ସେ ରାଜନୀତିକୁ ସ୍ୱାଗତ କରିଥିଲେ । ସେ ମାର୍ଟିନ ଲୁଥର କିଙ୍ଗ ସହ  ମହାତ୍ମାଗାନ୍ଧୀ ଓ ବିଜୁ ବାବୁଙ୍କର ଉଦାହରଣ ଦେଇଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଓ ଜୟ ହିନ୍ଦ କହି ମୁଖ୍ୟମନ୍ତ୍ରୀ ନିଜର ଉଦ୍‌ବୋଧନ ଶେଷ କରିଥିଲେ । ଏହି ଉତ୍ସବରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଅଷ୍ଟମ ଭାରତୀୟ ଛାତ୍ର ସଂସଦ ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ ସମ୍ବର୍ଦ୍ଧିତ କରିଛନ୍ତି  ।  ବିସିଏସ୍‌ ଫାଉଣ୍ଡେସନର ପରିଚାଳନା ପରିଷଦରେ ଥିବା ବହୁ ଲବ୍ଧପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏହି ସମ୍ମାନଜନକ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତି ମନୋନୀତ କରିଥାନ୍ତି । ଏଥିରେ ବିଶିଷ୍ଟ ଶିକ୍ଷାବିତ୍‌ ବିଶ୍ୱନାଥ ଡି. କରଡ ପ୍ରତିଷ୍ଠାତା ସଭାପତି ଭାବେ ରହିଥିବାବେଳେ ପ୍ରତିଷ୍ଠିତ ବୈଜ୍ଞାନିକ ଆର୍‌ ଏ ମାର୍ସେଲକର, ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଟି ଏନ୍‌ ଶେଷାନ,ସମାଜସେବୀ ତୁଷାର ଗାନ୍ଧି, ପ୍ରଖ୍ୟାତ୍‌ ସାମ୍ବାଦିକ, ସ୍ତମ୍ଭକାର ଓ ଲେଖକ ମାର୍କ ତୁଲ୍ଲୀ ପ୍ରମୁଖ ମନୋନୀତ କମିଟିରେ ସଦସ୍ୟ ଭାବେ ରହିଛନ୍ତି ।

ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ନବୀନ ପଟ୍ଟନାୟକ ପାଇଥିବା ବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଜୋରଦାର ହୋଇଛି । କଂଗ୍ରେସ ଏହାକୁ ପ୍ରାୟୋଜିତ ବୋଲି କହିଛି । ବରିଷ୍ଠ ନେତା ସୁରେଶ ରାଉତରାୟ ଏମଆଇଟିକୁ ରାଜ୍ୟ ସରକାର ୧୨୦ କୋଟି ଟଙ୍କାର ଅନୁକମ୍ପା ଦେଇଥିବା ବେଳେ ଏହି ପୁରସ୍କାର ଦେବାରେ ସେହି ଅନୁଷ୍ଠାନ ପାଇଁ ଅସୁବିଧା କେଉଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଆରପଟେ ବିଜେପି ଏପ୍ରକାର ସାର୍ଟିଫିକେଟର ମାନେ କଣ ବୋଲି ପ୍ରଶ୍ନ କରିଛି ।

ମୁଖ୍ୟମନ୍ତ୍ରୀଙ୍କୁ ନଗଡା, ଦାନ ମାଝି, ଦଶରଥପୁର ମହିଳା ସାର୍ଟିଫିକେଟ ଦେଇସାରିଛନ୍ତି ବୋଲି ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ରାଜ୍ୟରେ କଣ ବିକାଶ ହୋଇନାହିଁ ବୋଲି ବିରୋଧୀଙ୍କୁ ପ୍ରଶ୍ନ କରିଛି ବିଜେଡି । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସମ୍ମାନ ମିଳିବା ନେଇ ବେଶ ଉତ୍ସାହିତ ବିଜେଡି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଫେରିବାବେଳେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରିଛି ଦଳ ।

LEAVE A REPLY

Please enter your comment!
Please enter your name here