Home ଓଡିଶା ସମ୍ବଲପୁରରେ ଭ୍ୟାନ୍-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୩ ମୃତ, ୫ ଗୁରୁତର

ସମ୍ବଲପୁରରେ ଭ୍ୟାନ୍-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୩ ମୃତ, ୫ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନ ଟାଙ୍ଗରପାଲି ନିକଟ ରେଲୱେ ଓଭରବ୍ରିଜ୍‌ରେ ଗୁରୁବାର ମଧ୍ୟ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା  ଘଟିଛି । ଗୋଟିଏ ଟ୍ରକ୍‌ ଓ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଆହତ ହୋଇଛନ୍ତି । ମୃତକ ହେଲେ ହୀରାକୁଦ ଥାନା ଅଞ୍ଚଳର ସତ୍ୟବ୍ରତ ନାୟକ (୨୭), ସନାତନ ମହାନନ୍ଦ (୨୨) ଓ କ୍ରିଷ୍ଣା କନୱାର (୧୯) । ଆହତମାନେ ହେଲେ ହୀରାକୁଦ ଥାନା ଅନ୍ତର୍ଗତ ଏଫସିଆଇ ନୂଆଗୁଜତଲ ଅଞ୍ଚଳର କୃଷ୍ଣ ବେହେରା (୧୯), ସହଜବାହଲ ସ୍କୁଲ ପଡ଼ାର ସୁନୀଲ ମିର୍ଦ୍ଧା (୨୨), ରାଜକୁମାର ମିର୍ଦ୍ଧା (୨୧), ବସନ୍ତ ସିଂ (୨୮) ଓ ମନୋଜ ମିର୍ଦ୍ଧା (୨୮) । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ଏକ ଟ୍ରକ ସମ୍ବଲପୁର ଆଡୁ କଟକ ଯାଉଥିଲା । ଅନ୍ୟପଟେ ଏକ ମାରୁତି ଭ୍ୟାନ୍‌ ପଡିଆବାହାଲରୁ ହୀରାକୁଦ ଆସୁଥିବା ବେଳେ ଟାଙ୍ଗରପାଲି ଓଭର ବ୍ରିଜ୍‌ ନିକଟରେ ମୁହଁମୁହିଁ ଧକ୍କା ହୋଇଥିଲା । ମାରୁତି ଭ୍ୟାନରେ ଥିବା ଯାତ୍ରୀମାନେ ହୀରାକୁଦର ବୋଲି ଜଣାପଡିଛି । ସେମାନେ ଏହି ଭ୍ୟାନକୁ ଭଡାରେ ନେଇ ସିନ୍ଦୁରପଙ୍କକୁ ପୂଜା ଦେଖିବାକୁ ଯାଇଥିଲେ । ପୂଜା ପରେ ଡ୍ୟାନ୍ସ ଦେଖି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଛି ।  ପୋଲିସ ଉଭୟ ଗାଡିକୁ ଅଟକ ରଖି ତଦନ୍ତ ଚଳାଇଛି । ପୋଲିସ ଟ୍ରକ୍‌ର ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।