ଭୁବନେଶ୍ୱର,୧୨।୨(ବ୍ୟୁରୋ): କଟକରେ ମଲ୍ ଓ ବ୍ରହ୍ମପୁରରେ ଲୁଗା ଦୋକାନ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗର ଚେତା ପଶିଛି। ବିଗତ ଦିନରେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ସମୟରେ ନିଆଁ ଲାଗିଛି। ବିଶେଷକରି ଖୁନ୍ଦାଖୁନ୍ଦି ହୋଇ ଗଢ଼ି ଉଠୁଥିବା ଦୋକାନ ବଜାର ଓ ହୋଟେଲରେ ମାଲିକମାନେ ନିୟମକୁ ଉଲ୍ଲଂଘନ କରି ଗ୍ରାହକଙ୍କ ଜୀବନ ସହ ଖେଳଖେଳୁଥିବାରୁ ଚିନ୍ତା ବଢ଼ିଛି। ଏଥିଜନିତ ଅଘଟଣ ଏଡ଼ାଇବା ପାଇଁ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ଟିମ୍ ସୋମବାର ଦିନତମାମ ରାଜଧାନୀର ୨୬ ହୋଟେଲ୍, ମଲ୍ ଓ ଜୁଏଲାରୀ ଶୋ’ରୁମ୍ରେ ଚଢ଼ାଉ କରିଛି। ଅଧିକାଂଶ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନ ଥିବା ଯାଞ୍ଚ୍ରୁ ଜଣାପଡ଼ିଛି। ଜନପଥରେ ଥିବା ଏକ ହୋଟେଲର ୨ଟି ବିବାହ ହଲ୍କୁ ସିଲ୍ କରାଯାଇଛି। ନିର୍ଦ୍ଧାରିତ ସମୟ ଭିତରେ ଗାଇଡ୍ ଲାଇନ୍ ଅନୁସାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଡିଜି ଶର୍ମା ଚେତାବନୀ ଦେଇଛନ୍ତି। ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ଏକାଧିକ ମଲ୍ ଓ ହୋଟେଲରେ ଚଢାଉ କରାଯାଇଥିଲା। ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣାପଡିବା ପରେ ସମ୍ପୃକ୍ତ ମାଲିକ ଓ କର୍ତ୍ତୃପକ୍ଷଙ୍କୁ ୨ମାସ ସମୟ ଦିଆଯାଇଥିଲା। ସେହି ସମୟ ସୀମା ସରି ନ ଥିଲେ ମଧ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯାଉଛି ତାହାର ତଦାରଖ ସହ ଆବଶ୍ୟକ କାଗଜପତ୍ର ଓ ସ୍ଥିତି ଅନୁଧ୍ୟାନ କରିଥିଲା ଅଗ୍ନିଶମ ବିଭାଗ। ଡିଜି ଶର୍ମାଙ୍କ ସୂଚନାନୁସାରେ, ଏଥିପାଇଁ ୧୩ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ ଜଣେ ସିନିୟର ଅଫିସର ନେତୃତ୍ୱ ନେଉଛନ୍ତି। ଏହି ଟିମ୍ ବିଭିନ୍ନ ମଲ୍ ଓ ହୋଟେଲକୁ ଯାଇ ଅଗ୍ନିନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାର ଯାଞ୍ଚ କରୁଛନ୍ତି। ସୋମବାର ସକାଳୁ ଯାଞ୍ଚ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିଥିଲା। ଯାଞ୍ଚ ସମୟରେ ଏକାଧିକ ହୋଟେଲ, ମଲ୍ ଓ ଜୁଏଲାରୀ ଶୋରୁମ୍ରେ ଫାୟାର ସେପ୍ଟି ବ୍ୟବସ୍ଥା ଠିକ୍ ନ ଥିଲା। ଯେଉଁଠି ବ୍ୟବସ୍ଥା ରହିଛି, ନିଆଁ ଲାଗିଲେ ଠିକ୍ ସମୟରେ କାର୍ଯ୍ୟକ୍ଷମ କରିହେବ କି ନାହିଁ ତାହାକୁ ମଧ୍ୟ ତଦାରଖ କରାଯାଇଥିଲା। ଏଥିସହ ବ୍ୟବହୃତ ସିଲିଣ୍ଡର, ଓ୍ବାଟର ପାଇପ୍ ଓ ଅନ୍ୟାନ୍ୟ ଯାନ୍ତ୍ରିକ ବ୍ୟବସ୍ଥାକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଯାଞ୍ଚ୍ କରିଥିଲେ ଅଧିକାରୀମାନେ। ଜନପଥର ଏକ ହୋଟେଲରେ ଥିବା ଦୁଇଟି ବିବାହ ହଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିଲା। ଏହି ଦୁଇ ବିବାହ ହଲ୍ର ପ୍ରବେଶ ଓ ପ୍ରସ୍ତାନ ପଥ ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ରହିଛି। ଅଘଟଣ ଘଟିଲେ ଲୋକେ ବାହାରିବା ମଧ୍ୟ କଷ୍ଟକର ହୋଇପଡିବ। ନୋଟିସ ସତ୍ତ୍ୱେ ଏଯାଏ ହୋଟେଲ ମାଲିକ ଅଗ୍ନିନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିନାହାନ୍ତି। ତେଣୁ ବିଭାଗ ପକ୍ଷରୁ ଉକ୍ତ ଦୁଇ ବିବାହ ହଲ୍କୁ ସିଲ୍ କରାଯାଇଛି। ଏହି ପଦକ୍ଷେପ ପ୍ରଥମ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ଶର୍ଟସର୍କିଟ ଯୋଗୁ ଅଧିକାଂଶ ଅଗ୍ନିକାଣ୍ଡ ଘଟୁଛି। ଯାଞ୍ଚ୍ବେଳେ ମଲ୍ ଓ ହୋଟେଲଗୁଡିକର ଇଲେକ୍ଟ୍ରିକ୍ ପ୍ୟାନେଲ ବୋର୍ଡ କିମ୍ବା ପ୍ୟାନେଲ ରୁମ୍ର ସ୍ଥିତି ଠିକ୍ ନ ଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପ୍ୟାନେଲ ବୋର୍ଡକୁ ଲାଗି ବିଭିନ୍ନ ସାମଗ୍ରୀ ଗଦା ହୋଇ ରହିଥିଲା। ନିଆଁ ଲାଗିଲେ ସହଜରେ ଚାରିଆଡ଼କୁ ବ୍ୟାପିବା ଆଶଙ୍କା ରହିଥିବାରୁ ଏ ସଂକ୍ରାନ୍ତରେ ମଧ୍ୟ ତାଗିଦ୍ କରାଯାଇଥିଲା। ଯେଉଁସବୁ ମଲ୍, ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ତୁରନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି