Home ଦେଶ ବିଦେଶ ୨୦୧୮ପରର ତଥ୍ୟ ଦେବ ସ୍ୱିସ୍ ବ୍ୟାଙ୍କ : ପୀୟୂଷ ଗୋଏଲ

୨୦୧୮ପରର ତଥ୍ୟ ଦେବ ସ୍ୱିସ୍ ବ୍ୟାଙ୍କ : ପୀୟୂଷ ଗୋଏଲ

ନୂଆଦିଲ୍ଲୀ : ସ୍ୱିସ୍ ବ୍ୟାଙ୍କ୍ରେ ଥିବା ଭାରତୀୟଙ୍କ ଆକାଉଣ୍ଟର ୨୦୧୮ ମସିହା ପରେ ହୋଇଥିବା କାରବାର ସମ୍ପର୍କିତ ତଥ୍ୟ ଉଭୟ ରାଷ୍ଟ୍ର ସଂଗ୍ରହ କରିବେ ଏବଂ ୨୦୧୯ ମସିହାରୁ ଭାରତ ସରକାରଙ୍କ ହସ୍ତଗତ ହେବା ଆରମ୍ଭ ହେବ ବୋଲି ଆଜି ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ସୂଚନା ଦେଇଛନ୍ତି । ଗତ ନଭେମ୍ବର ମାସରେ ସ୍ୱିସ୍ବ୍ୟା ଙ୍କ୍ ବାବଦରେ ସ୍ୱୟଂଚାଳିତ ତଥ୍ୟ ବିନିମୟ ପାଇଁ ସ୍ୱିଜରଲ୍ୟାଣ୍ଡ ସହିତ ଚୁକ୍ତି ହୋଇଥିଲା ଯାହାଦ୍ୱାରା ୨୦୧୮ ମସିହା ଜାନୁଆରୀ ୧ ତାରିଖ ପରେ ଭାରତୀୟ ଜମାକାରୀଙ୍କ ତଥ୍ୟ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ଦେବେ । କଳାଧନ ଫେରିବା ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ୪ ବର୍ଷ ପୂରିସାରିଥିଲା ବେଳେ ଗତ କିଛି ବର୍ଷରେ ଏଥିରେ ୫୦ ପ୍ରତିଶତ ବୃଦ୍ଧି ପାଇବାକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ଶ୍ରୀ ଗୋଏଲ ଏହି ଉତ୍ତର ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୟୁପିଏ ସରକାର ସମୟରେ ପ୍ରଣୀତ ଆରବିଆଇ ନୀତି ସାହାଯ୍ୟରେ ଅଢ଼େଇ ଲକ୍ଷ ଡଲାର ଯାଏ ବିଦେଶ ପଠାଇ ହେଉଥିବାରୁ ବିଦେଶୀ ଜମା ପରିମାଣରେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ସେ ସ୍ୱିସ୍ବ୍ୟାଙ୍କ୍ରେ ଅତର୍କିତଭାବେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ହେବାନେଇ ଆହୁରି ମଧ୍ୟ କହିଥିଲେ ସେଥିରୁ କିଛି ଭାରତୀୟ ବଂଶୋଦ୍ଭବ ମଧ୍ୟ ଅଛନ୍ତି । ବାକି ଜମାକାରୀଙ୍କ କାରବାରରେ ଅନିୟମିତତା ପରିଲକ୍ଷିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କ ସରକାର କଳାଧନ ଏବଂ ସ୍ୱିସ୍ବ୍ୟାଙ୍କ୍ ଆଦି ପ୍ରସଙ୍ଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ସେ ଏହି ଅବସରରେ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱିସ୍ ବ୍ୟାଙ୍କ୍ ଜମାରେ ୨୦୧୭ ମସିହାରେ ପୂର୍ବ ବର୍ଷ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇଛି ।