Home ଦେଶ ବିଦେଶ ୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଗଠନ ଲକ୍ଷ୍ୟ – ପ୍ରଧାନମନ୍ତ୍ରୀ

୨୦୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ଗଠନ ଲକ୍ଷ୍ୟ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ “ଯକ୍ଷ୍ମା ବିଲୋପ” ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ସେ ଆତ୍ମ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ଦୂର କରିବା ନେଇ ଦିଲ୍ଲୀରେ ଅନୁଷ୍ଠିତ ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ ଏକ ଐତିହାସିକ ଘଟଣା । ସେ କହିଥିଲେ ଯେ ଏହି ରୋଗର ମୂଳୋତ୍ପାଟନ ଦିଗରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକଟି ପଦକ୍ଷେପ ଗରିବ ଜନସାଧାରଣଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ସହିତ ଜଡିତ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଶ୍ୱରେ ୨୦୩୦ ସୁଦ୍ଧା ଯକ୍ଷ୍ମାକୁ ସମ୍ପୂର୍ଣ୍ଣ ଭାବେ ବିଲୋପ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିନେଇ ଭାରତର ଲକ୍ଷ୍ୟଧାର୍ଯ୍ୟ ସୀମାକୁ ୨୦୨୫ ରଖାଯାଇଛି । ସେ କହିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ସେ କହିଲେ ଯେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି ଏବଂ ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପତ୍ର ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଯକ୍ଷ୍ମା ରୋଗକୁ ଦୂର କରିବା ପାଇଁ ଆଗ ଧାଡିର ଯକ୍ଷ୍ମା ଚିକିତ୍ସକ ଏବଂ କାର୍ଯ୍ୟକର୍ତାମାନଙ୍କର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ସେ କହିଲେ ଯେ ଏହି ରୋଗରୁ ମୁକ୍ତି ପାଇଥିବା ରୋଗୀମାନେ ମଧ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା । ନିଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନେଇ କେନ୍ଦ୍ର ସରକାରଙ୍କ ତତ୍ପରତା ସମ୍ବନ୍ଧରେ ଦର୍ଶାଇ ପ୍ରଧାନମନ୍ତ୍ରୀ ମିଶନ ଇନ୍ଦ୍ରଧନୁଷ ଏବଂ ସ୍ୱଚ୍ଛ ଭାରତର ଉଦାହରଣ ପ୍ରଦାନ କରିଥିଲେ ।