Home ଦେଶ ବିଦେଶ ୨୦୧୯ ନିର୍ବାଚନ : କଂଗ୍ରେସର ନୂଆ ମନ୍ତ୍ର

୨୦୧୯ ନିର୍ବାଚନ : କଂଗ୍ରେସର ନୂଆ ମନ୍ତ୍ର

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ହେବାକୁ କିଛିମାସ ଥିବା ବେଳେ ଦେଶରେ ଦିନକୁ ଦିନ ରାଜନୈତିକ ଉଷ୍ମତା ଯେତିକି ବଢ଼ିଚାଲିଛି ତା’ସାଙ୍ଗକୁ ରାଜନୈତିକ ଦଳଗୁଡିକ ନିଜ ନିଜ ରଣକୌଶଳ ଅସ୍ତ୍ରକୁ ପଜାଇବାରେ ବ୍ୟସ୍ତ । ଆଗରୁ କିଛି ନ କଲେ ସେତେବେଳେକୁ ଲଢ଼ିବା ଦମ୍ଦାର ହୋଇପାରିବ ନାହିଁ ତାହା ବିରୋଧୀ ପକ୍ଷ ଭଲ ଭାବରେ ଜାଣନ୍ତି । ଗତ କିଛିଦିନ ହେବ ମୋଦି ସରକାରଙ୍କ ପତନ ଲାଗି ଅଣକଂଗ୍ରେସ ଦଳଗୁଡ଼ିକ ବାରବାର ଯୁଦ୍ଧଂଦେହି ଡାକରା ଦେଉଛନ୍ତି । ୨୦୧୯ ମୋଦି ସରକାରଙ୍କୁ ପରାଜିତ କରିବା ଲାଗି ବିରୋଧୀମାନେ ନିର୍ଦ୍ଧାରିତ ରଣକୌଶଳ ସ୍ଥିର କରିସାରିଛନ୍ତି । ଉଦ୍ଦେଶ୍ୟ ସାଧନ ପାଇଁ ସେମାନଙ୍କୁ କେବଳ ସମନ୍ୱୟ ରଖିବାକୁ ହେବ ଏପରି ଭାବେ ବିଚାରବିମର୍ଶ କରାଯାଇଛି । ନିର୍ଦ୍ଦିଷ୍ଟ ଭାବରେ ବିରୋଧୀ ଦଳ ପକ୍ଷରୁ ଏନେଇ କୁହାଯାଇ ନଥିଲେ ବି ରଣନୀତି ଆପାତତଃ ଏହିପରି ରହିଛି । ଯାହାକି ତଥ୍ୟାଭିଜ୍ଞ ମହଲରେ ଏ ସଂପର୍କରେ ଜୋର୍ସୋରରେ ଆଲୋଚନା ଚାଲିଛି । ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ଅଭିପ୍ରାୟ ରଖାଯାଇ ଅଭିଯାନର ସୂତ୍ରପାତ କରାଯାଏ ସେତେବେଳେ ଫୋକସ୍ ରଖାଯାଏ । ଏହି ଫୋକସ ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ବାଧ୍ୟ । ଆଗକୁ ଏପରି ପ୍ରସ୍ତୁତି ଆରମ୍ଭ ହେବାର ପୂର୍ବାଭାସ ମିଳିଲାନି । ପ୍ରତ୍ୟେକ ବିରୋଧୀ ଦଳ କେତେ ଆସନ ହାସଲ କରିବ ସେହି ସଂଖ୍ୟାରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସ୍ଥିରୀକୃତ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ପକ୍ଷରୁ ଯଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପସ୍ଥାପିତ ହେବେ ତେବେ ଲଢ଼ିବା ବେଳକୁ ବିରୋଧୀମାନେ ଟାଣପଣ ଅନୁଭବ କରିପାରିବେ ନାହିଁ । ଦଳଗତ ବାଛବିଚାର ନିଶ୍ଚିତ ଭାବରେ ଆଲୋଚନାକୁୂ ଆସିବ । ତେଣୁ ଯେତେଦୂର ସମ୍ଭବ ଆଗକୁ ବିରୋଧୀମାନେ ଏପରି ରିସ୍କ ନେବାକୁ ଉଚିତ ମନେ କରୁନାହାନ୍ତି ବୋଲି ବିଚାର କରାଯାଉଛି । ବିରୋଧୀଙ୍କ ଏପରି ରଣକୌଶଳରେ କଂଗ୍ରେସକୁ ଫାଇଦା ହିଁ ଫାଇଦା । ଦେଶର ସବୁଠାରୁ ପୁରୁଖା ଏହି ଦଳ ଲାଗି ବିଜେପି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ୨୦୧୪ ନିର୍ବାଚନ ବେଳେ ଏହା ମାତ୍ର ୪୪ ଲୋକସଭା ଆସନ ଜିତିଥିଲା । ଆଗକୁ ଏହା ଅନ୍ତତଃ ପକ୍ଷେ ୩୦୦ ଆସନ ହାସଲ କରିବାକୁ ରଖିଛି ଲକ୍ଷ୍ୟ । ଏକାକୀ ଏପରି ଅଭିଯାନ ସଫଳ ହୋଇପାରିବ ନାହିଁ ବୋଲି ଦଳ ଭଲ ଭାବରେ ଜାଣେ । ତେଣୁ ଅଣକଂଗ୍ରେସ ଓ ଅଣବିଜେପି ଦଳଗୁଡ଼ିକୁ ସାଙ୍ଗରେ ନେବାକୁ ବାଧ୍ୟ । ବିଶେଷ କରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାନା ଛତିଶଗଡ଼, ଉତ୍ତରପ୍ରଦେଶ ବିହାର, ରାଜସ୍ଥାନ ଭଳି ରାଜ୍ୟରେ ଆଶାନୁରୂପ ଲୋକସଭା ଆସନ ହାତେଇ ପାରିବ ବୋଲି କଂଗ୍ରେସ ଦୃଢ଼ ଆଶା ରଖିଛି । ବିରୋଧୀମାନେ ଏକାଠି ହେଲେ ମହାରାଷ୍ଟ୍ରରେ ୪୮, ଉତ୍ତରପ୍ରଦେଶ ୮୦ ଓ ବିହାରର ୪୦ ଆସନ ଏପରି ଭାବେ ୧୬୮ ସଂଖ୍ୟା ଛୁଇଁବାରେ କୌଣସି ବାଧା ନାହିଁ ବୋଲି କଂଗ୍ରେସର ଏକ ଶିବିର ବିଶ୍ୱାସ ରଖୁଛି । ଏପରି ଭାବେ ଅନ୍ୟାନ୍ୟ ରାଜ୍ୟରୁ ଆଶାନୁରୂପ ସଫଳତା ମିଳିପାରିବ । ସବା ଶେଷରେ ମିଶାଇଲେ ତାହା ଅନ୍ତତଃପକ୍ଷେ ୩୦୦ ଆସନ ଛୁଇଁଯିବ ବୋଲି କଳ୍ପନାଜଳ୍ପନା କରାଯାଉଛି । ୨୩୦ ଆସନ ପାଇବାରେ ବିଜେପି ଫେଲ୍ ମାରିଲେ ବିରୋଧୀଙ୍କ ମଧ୍ୟରୁ କିଏ ହେବେ ପ୍ରଧାନମନ୍ତ୍ରୀ ତାହାର ଅଙ୍କ କଷାଯିବ । ଯଦି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ବିରୋଧୀ ବାଲାଏ ଉପସ୍ଥାପନ କରନ୍ତି ତାହାକୁ ବିଜେପି ଚୂର୍ମାର କରିବାର ରହିଛି ଆଶଙ୍କା । ତେଣୁ ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆଦୌ ଉପସ୍ଥାପନ କରିବେ ନାହିଁ । ଏନ୍ଡିଏର ସହଯୋଗୀ ଭାବେ ଥିବା ଶିବସେନା ଓ ଜେଡିୟୁଙ୍କ ହାବଭାବରୁ ଜଣାପଡୁଛି ସେମାନେ କଦାପି ବିରୋଧୀଙ୍କ ଶିବିରରେ ସାମିଲ ହେବେ ନାହିଁ । ମହାରାଷ୍ଟ୍ରରେ ନ୍ୟାସନାଲ କଂଗ୍ରେସ ପାର୍ଟି ବା ଏନସିପି, ବିହାରରେ ରାଷ୍ଟ୍ରୀୟ ଜନତା ଆର୍ଜେଡି ସହ କଂଗ୍ରେସ ଆଗକୁ ବୁଝାମଣା କରିବାର ସଂକେତ ମିଳିଛି । ମୋଟାମୋଟି ଭାବରେ ବହୁଜନ ସମାଜପାର୍ଟି, ସମାଜବାଦୀ ପାର୍ଟି, କଂଗ୍ରେସ, ରାଷ୍ଟ୍ରୀୟ ଲୋକଦଳ ଗୋଟିଏ ଡଙ୍ଗାରେ ରହିବେ । ସେହି ଡଙ୍ଗାକୁ ଆସିବା ଲାଗି ଅନ୍ୟ ସାନ ସାନ ଦଳକୁ ସେମାନେ ପ୍ରୋତ୍ସାହିତ କରିବେ ।