Home ରାଜନୀତି ଚାଲିଛି ଗୁଜବ ରାଜନୀତି

ଚାଲିଛି ଗୁଜବ ରାଜନୀତି

ଭୁବନେଶ୍ୱର: ରାଜନୀତି ଓ ଗୁଜବ ମୁଦ୍ରାର ଦୁଇ ପାଶ୍ୱର୍ଭଳି ରହିଛି । ବେଳେବେଳେ ଗୁଜବ ସତ୍ୟରେ ପରିଣତ ହୋଇଥାଏ ତ ଅନ୍ୟ କେତେବେଳେ ମିଛରେ ପରିଣତ ହୋଇଥାଏ । କିନ୍ତୁ ଗୁଜବ ରାଜନୀତି ରାଜ୍ୟରେ ୮୦ଦଶକରେ ଦେଖିବାକୁ ମିଳିଛି । କଂଗ୍ରେସ କ୍ଷମତାରେ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଅଦଳବଦଳ ନେଇ ଅଜବ ଗୁଜବ ପ୍ରଚାରିତ ହୋଇଥାଏ । ସେଥିପାଇଁ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକଦା କହିଥିଲେ ରାଜଧାନୀ ହେଉଛି ଗୁଜବର ସହର । ରାଜନୈତିକ ଦଳ ହେଉ କି ବ୍ୟବସାୟିକ ପ୍ରତିଷ୍ଠା କିମ୍ବା ଗଣମାଧ୍ୟମ ପ୍ରତିଷ୍ଠାନ ହେଉ ସବୁଠି ଗୁଜବ ରହିଛି । ବର୍ତ୍ତମାନ ଦେଶ ତଥା ରାଜ୍ୟରେ ନିର୍ବାଚନୀ ହାୱା ବହିଲାଣି । ନିର୍ବାଚନୀ ହାୱା ସହିତ ତାଳଦେଇ ଗୁଜବ ପ୍ରଚାର ମଧ୍ୟ ଜୋର୍ଦାର ହୋଇଛି । ବିଶେଷ କରି ବର୍ତ୍ତମାନ ଗୁଜବ ରାଜନୀତି ଗଣମାଧ୍ୟମ ପାଇଁ ରୋଚକ ଖବର ହୋଇଥିବାବେଳେ ଦଳୀୟ ନେତା ଓ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଆଉ ପୂର୍ବଭଳି ନେତାଙ୍କ ଦବ୍ଦବା କୌଣସି ଦଳରେ ଦେଖିବାକୁ ମିଳୁ ନାହିଁ । ଦଳୀୟ ସୁପ୍ରିମୋଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ ହୋଇଛି । ଏଭଳି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟ ରାଜନୀତିରେ ୩ ଦଳରେ ଦେଖିବାକୁ ମିଳିଛି । ପ୍ରଥମତଃ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟ ଗୁଜବରୁ ଊଦ୍ଧ୍ୱର୍ରେ ନାହିଁ । ବିଜେପିର ଦୁଇଜଣ ତୁଙ୍ଗ ନେତା ଦଳରୁ ଇସ୍ତଫା ଦେବେ ଦେବେ ବୋଲି ଦୀର୍ଘମାସ ହେବ ଚର୍ଚ୍ଚା ହେଉଛି । ସେହି ଦୁଇଜଣ ତୁଙ୍ଗ ନେତା ହେଲେ ବିଧାୟକ ଦିଲୀପ ରାୟ ଓ ବରିଷ୍ଠ ନେତା ବିଜୟ ମହାପାତ୍ର । ଏପରିକି ଏହି ଦୁଇଜଣ ତୁଙ୍ଗ ନେତା ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଏଭଳି ପ୍ରଚାର ପଛରେ ବାସ୍ତବ ସତ୍ୟ କେତେ ରହିଛି ତାହା ଜଣାପଡ଼ି ନାହିଁ । ସେଥିପାଇଁ ଏହାକୁ ଗୁଜବ ବୋଲି କହିବାକୁ ପଡ଼ିବ । ଯେହେତୁ ଉଭୟ ବିଜୟ ମହାପାତ୍ର ଓ ଦିଲୀପ ରାୟ ଏଭଳି ପ୍ରଚାରକୁ ଗଣମାଧ୍ୟମରେ ସ୍ୱୀକାର କିମ୍ବା ଅସ୍ୱୀକାର କରୁନାହାନ୍ତି ସେଥିପାଇଁ ଏଭଳି ପ୍ରଚାର ଦିନକୁଦିନ ପ୍ରଖର ବେଗରେ ପ୍ରଚାରିତ ହେଉଛି । ସେହିଭଳି ରାଜ୍ୟରେ କ୍ଷମତାସୀନ ବିଜେଡିରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଦଳର ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବହିଷ୍କୃତ ହେବା ପରେ ଦାମ ନୂଆ ଦଳ ଗଠନ କରିବେ ବୋଲି ଗଣମାଧ୍ୟମରେ ଘୋଷଣା କରିଛନ୍ତି । ନୂଆ ଦଳରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ସୁରେନ୍ଦ୍ର ନାଥ ନାୟକ ଯୋଗ ଦେବେ ବୋଲି ଦାମ ଗଣମାଧ୍ୟମରେ ଘୋଷଣା କରିବା ପରେ ପ୍ରଫୁଲ୍ଲ ଓ ସୁରେନ୍ଦ୍ର ଏହାକୁ ଅସ୍ୱୀକାର କରିଛନ୍ତି । କିନ୍ତୁ ବିଭିନ୍ନ ମହଲରେ ଏଭଳି ଅସ୍ୱୀକାରକୁ ସହଜରେ କେହି ସ୍ୱୀକାର କରୁନାହାନ୍ତି । ରାଜନୀତିରେ ହଁ ନାଁର ଖେଳରେ କ୍ଷମତାମୋହ ଥିବାରୁ ଏଭଳି ଚର୍ଚ୍ଚା ଜୋର୍ଦାର ହୋଇଛି । ସେହିଭଳି କେନ୍ଦ୍ର ଓ ରାଜ୍ୟରେ ବିରୋଧୀ ଆସନରେ ଥିବା କଂଗ୍ରେସରେ ମଧ୍ୟ ଗୁଜବ ପରିମାଣ କମ୍ ନାହିଁ । କିଛିମାସ ପୂର୍ବେ ଦଳର ବହୁ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେବେ ବୋଲି ଖୋଲାଖୋଲି ଭାବେ ଚର୍ଚ୍ଚା ହେଉଥିଲା । କିନ୍ତୁ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ମନୋନୀତ ହେବା ପରେ ଏଭଳି ଚର୍ଚ୍ଚା କମିଛି । କିନ୍ତୁ ତଥାପି କେତେକ ବିଧାୟକ ଦଳ ଛାଡ଼ିବେ ବୋଲି ଜୋର୍ଦାର ଗୁଜବ ପ୍ରଚାର ଚାଲିଛି । ବର୍ତ୍ତମାନ ଝାରସୁଗୁଡ଼ା ବିଧାୟକ ନବ ଦାସ ଓ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଲା । ତତ୍କ୍ଷଣାତ କୋରାପୁଟ ବିଧାୟକ ଏହାର ସଫେଇ ଦେବାପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କେବଳ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ପ୍ରକାଶ କରି କଂଗ୍ରେସରେ ସେ ଅଛନ୍ତି ଓ ଆଗାମୀ ଦିନରେ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ସପରିବାର ଫଟୋ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ସମ୍ପର୍କରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନବ ଦାସ ବିଜେଡିରେ ଯୋଗ ଦେଉଛନ୍ତି ବୋଲି ଜୋର୍ଦାର ଚର୍ଚ୍ଚା ହୋଇଥିଲା । ଯେଉଁଥିପାଇଁ ବିଦେଶ ଗସ୍ତରେ ଥିବା ବିଧାୟକ ନବ ଦାସ ଏହାକୁ ଗୁଜବ ବୋଲି କହିବାକୁ ପଛାଇ ନ ଥିଲେ । କିନ୍ତୁ ନିଆଁ ନ ଥିଲେ ଧୂଆଁ ବାହାରେ ନାହିଁ ବୋଲି ସମସ୍ତେ ଜାଣନ୍ତି । ବିନା ନିଆଁରେ କିଭଳି ବିଭିନ୍ନ ଦଳର ନେତାଙ୍କ ସମ୍ପର୍କରେ ଧୂଆଁ ବାହାରୁଛି ତାହା ସ୍ୱୀକାର କରିବାକୁ ରାଜନୈତିକ ମହଲରେ କେହି ପ୍ରସ୍ତୁତ ନୁହନ୍ତି । ସମୟ ସୁଯୋଗ ଦେଖି କ୍ଷମତାଲିପ୍ସୁ ନେତାମାନେ ଦଳବଦଳ କରିବା ରାଜ୍ୟ ରାଜନୀତିରେ ନିୟମିତ ଘଟଣା । ଯେଉଁଠି ବିରୋଧୀ ଦଳ ନେତା, ଶାସକ ଦଳ ବିଧାୟକ, ସାଂସଦ ଦଳ ବଦଳ କରୁଛନ୍ତି ସେତେବେଳେ ନେତାଙ୍କ ଦଳବଦଳ ଘଟଣା ଗୁଜବ ନୁହେଁ ବରଂ ବାସ୍ତବ ଘଟଣା ଉପରେ ଆଧାରିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।