Home ଦେଶ ବିଦେଶ ଘାଟିତଳକୁ ବସ୍ ଖସି ୫୭ ମୃତ

ଘାଟିତଳକୁ ବସ୍ ଖସି ୫୭ ମୃତ

ଜଗତିୟାଲ୍‌ : ତେଲେଙ୍ଗାନା ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନର ଏକ ବସ୍ ଆଜି ୩୦ ଫୁଟ୍ ଗଭୀର ଖାତକୁ ଖସି ପଡ଼ିବା ଫଳରେ ୫୭ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୩୨ ଜଣ ମହିଳା, ୫ ଜଣ ଶିଶୁ ଅଛନ୍ତି । ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେଲେଙ୍ଗାନା ଜଗତ୍ୟାଲ ଜିଲ୍ଲାର କୋଣ୍ଡାଗାଟ୍ଟୁ ନିକଟରେ ଏହି ବସ୍ଟି ଖାତକୁ ଖସି ପଡ଼ିଥିଲା । ବସ୍ରେ ୬୦ ଜଣ ଯାତ୍ରୀ ଶାନିଭରମ୍ପେଟ୍ ଗାଁରୁ କୋଣ୍ଡାଗାଟ୍ଟୁ ନିକଟରେ ପାହାଡ଼ ଉପରେ ଥିବା ହନୁମାନ ମନ୍ଦିରକୁ ଯାଇଥିଲା । ବସ୍ରେ ଥିବା ଯାତ୍ରୀମାନେ ଦର୍ଶନ ସାରି ଗାଁକୁ ଫେରୁଥିଲେ । ଘାଟ ରୋଡ୍ ନିକଟରେ ଏକ ଅଣଓସାରିଆ ରାସ୍ତାରେ ବୁଲିବା ସମୟରେ ବସ୍ଟି ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲା । ଫଳରେ ବସ୍ଟି ୪ ଥର ପଲଟ ଖାଇଥିଲା । ଘଟଣାସ୍ଥଳରେ ଅନ୍ୟୁନ ୨୦ରୁ ଊଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇଥିଲା । ତେଲେଙ୍ଗାନାର ଅର୍ଥମନ୍ତ୍ରୀ ଇଟେଲା ରାଜେନ୍ଦ୍ରର୍ ଗଣମାଧ୍ୟମକୁ କହିଛନ୍ତି ଯେ ବସ୍ଟିରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସିଥିଲେ । ସେମାନଙ୍କ ସଂଖ୍ୟା ପ୍ରାୟ ୮୮ ହେବ । ବସ୍ଟି ଖାତକୁ ଖସି ପଡ଼ିବା ଦେଖି ପଛରେ ଆସୁଥିବା କେତେକ କାର୍ର ଯାତ୍ରୀ ଗାଡ଼ି ଅଟକାଇ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗୁରୁତର ଆହତ ଲୋକମାନଙ୍କୁ ଜଗତ୍ୟାଲ ଏରିଆ ହସ୍ପିଟାଲକୁ ପଠାଯାଇଥିଲା । ଦୁର୍ଘଟଣା ଖବର ପାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗଭୀର ଶୋକ ପ୍ରକାଶ କରିବା ସହିତ ଆହତମାନଙ୍କୁ ତୁରନ୍ତ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତି ମୃତକଙ୍କ ପରିବାର ପାଇଁ ସେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି । ତାଙ୍କ ନିର୍ଦ୍ଦେଶରେ ଜଗତ୍ୟାଲ ଜିଲ୍ଲାପାଳ ଏ ଶରଥ୍, ଏସପି ସିଦ୍ଧୁ ଶର୍ମା ଓ କରିମନଗର ପୁଲିସ କମିଶନର କମଳାହାସନ ରେଡ୍ଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ସେହିପରି କରିମନଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଇ. ରାଜେନ୍ଦ୍ରନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମ୍ବେଦନା ଜଣାଇବା ସହ ଆହତମାନଙ୍କ ତୁରନ୍ତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଜାମାବାଦ ଏମପି କବିତା, କଂଗ୍ରେସ ବିଧାୟକ ଦଳ ନେତା କେ ଜନା ରେଡ୍ଡି, ପ୍ରଦେଶ କଂଗ୍ରେସ ସଭାପତି ଏନ ଉତ୍ତମ କୁମାର ରେଡ୍ଡି ଏବଂ ୱାଇଏସଆର କଂଗ୍ରେସ ପାର୍ଟି ମୁଖ୍ୟ ୱାଇଏସ ଜଗମୋହନ ରେଡ୍ଡି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।