Home ରାଜନୀତି ନେତା ଚିନ୍ତାରେ, କର୍ମୀ ଦ୍ୱନ୍ଦ୍ୱରେ

ନେତା ଚିନ୍ତାରେ, କର୍ମୀ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର: ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ଘୁଞ୍ଚି ଘୁଞ୍ଚି ଯାଉଛି । ଏପରିକି କିଛି ମାସ ପୂର୍ବେ ରୋକ୍ଠୋକ ଭାବେ ଅନ୍ୟୂନ ୫୦ ଟି ଆସନର ପ୍ରାର୍ଥୀ ତାଲିକା ଅଗଷ୍ଟ ଶେଷ ସୁଦ୍ଧା ଘୋଷଣା କରିବାକୁ ନିରଞ୍ଜନ ସୂଚନା ଦେଇଥିଲେ । କିନ୍ତୁ ସେପ୍ଟେମ୍ବର ଶେଷ ହୋଇ ଅକ୍ଟୋବର ଆରମ୍ଭ ହୋଇଥିଲେ ମଧ୍ୟ ପ୍ରାର୍ଥୀତାଲିକା ଘୋଷଣା ଘୋଷଣାରେ ରହିଯାଇଛି । ଏପରିକି ୫୦ ଟି ଆସନ ପ୍ରାର୍ଥୀତାଲିକା ତନଖି ପ୍ରକ୍ରିୟା ଶେଷ ହୋଇପାରିନାହିଁ । କେବଳ ୪୪ ଟି ଆସନର ପ୍ରାର୍ଥୀତାଲିକା ଚୂଡ଼ାନ୍ତ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ଦଳର ପିଇସି କମିଟି କେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ ଭାବେ ଖୁଲାସା ହୋଇନାହିଁ । କେବଳ ବିଜୟ ସମ୍ଭାବନା ଥିବା ଯୁବପ୍ରାର୍ଥୀଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି କୁହାଯାଇଛି । କିନ୍ତୁ କେବେ ଚୂଡ଼ାନ୍ତ ପ୍ରାର୍ଥୀତାଲିକା ଘୋଷଣା କରାଯିବ ସେ ସମ୍ପର୍କରେ ପିସିସି ସଭାପତି କହିବାକୁ ପଛାଇଛନ୍ତି । ଏପରିକି ବିଭିନ୍ନ ଗୁମର ସମ୍ପର୍କରେ ମୁହଁ ଚୁପ୍ କରିବାକୁ ବାଧ୍ୟ ହୋଇଛନ୍ତି । ନିରଞ୍ଜନଙ୍କ ଏଭଳି ବୟାନବାଜିରେ ଚିନ୍ତାରେ ପଡ଼ିଛନ୍ତି ନେତା ଓ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କର୍ମୀ । ଅଧିକାଂଶ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦୁଇ ଦୁଇଜଣ ନେତା ଅଛନ୍ତି । କର୍ମୀମାନେ ମଧ୍ୟ ଭାଗ ଭାଗ ହୋଇ ରହିଛନ୍ତି । ନିରଞ୍ଜନ ପ୍ରାର୍ଥୀତାଲିକା ଘୋଷଣା କରିବା ପାଇଁ ଯେଉଁ ଉଦ୍ୟମ କରିଥିଲେ ତାହାକୁ କର୍ମୀମାନେ ସ୍ୱାଗତ କରିଥିଲେ । ନିର୍ବାଚନର ବହୁ ମାସ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇଥିଲେ କର୍ମୀମାନଙ୍କ ମଧ୍ୟରେ ଏକତା ଭାବ ସୃଷ୍ଟି ହୋଇଥାନ୍ତା; କିନ୍ତୁ ଏବେ ସୁଦ୍ଧା ତାହା ସମ୍ଭବ ହେଲା ନାହିଁ । ଯେଉଁଥିପାଇଁ ଗ୍ରାମାଞ୍ଚଳର କର୍ମୀମାନେ ଅଧିକ ଦ୍ୱନ୍ଦ୍ୱରେ ରହିଛନ୍ତି । କେଉଁ ପ୍ରାର୍ଥୀ ଟିକେଟ ପାଇବେ ସେଥିପାଇଁ କର୍ମୀମାନଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହେବାରୁ ପୂର୍ବବିବାଦ ତୁଟିବାର ନାଁ ଧରୁନାହିଁ । ଫଳରେ ‘ଉଠିବ କଂଗ୍ରେସ ହସିବ ଓଡ଼ିଶା’ ନାରା ଦେଇ ନିରଞ୍ଜନ ଯେଉଁ ପ୍ରୟାସ ଆରମ୍ଭ କରିଥିଲେ ତାହା ଫଳତଃ ଅକାମୀ ହେବାକୁ ଯାଉଛି । ଯେଉଁଠି କର୍ମୀମାନେ ହସିବା ପରିବର୍ତ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି ଓ ନେତାମାନେ ଟିକେଟ ପାଇବା ଚିନ୍ତାରେ ଅଛନ୍ତି ସେତେବେଳେ କଂଗ୍ରେସ କିଭଳି ଉଠିବ ଓ ଓଡ଼ିଶା କିଭଳି ହସିବ ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।