Home ରାଜନୀତି ବିପଦ ବେଳେ ବାମପନ୍ଥୀ ଭରସା

ବିପଦ ବେଳେ ବାମପନ୍ଥୀ ଭରସା

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ବିପଦ ବେଳର ବନ୍ଧୁ ପାଲଟିଛନ୍ତି ବାମପନ୍ଥୀ ଦଳ । ଯେଉଁ ଦଳ ହେଉ କି ନେତା ହୁଅନ୍ତୁ ସମସ୍ତେ ବିପଦବେଳେ ବାମପନ୍ଥୀ ଦଳକୁ ଭରସାକୁ ନେଇଥାନ୍ତି । ରାଜ୍ୟ ରାଜ୍ୟନୀତିରେ ଏହା ନୂଆ ଘଟଣା ନୁହେଁ । କଂଗ୍ରେସ ହେଉ କି ଜନତା ହେଉ କିମ୍ବା ବିଜୁଜନତା ଦଳ ହେଉ ସମସ୍ତେ ବିପଦବେଳେ ବାମପନ୍ଥୀ ଦଳ ସହଯୋଗ ନେବା ପୁରୁଣା କଥା । ସେହି ପୁରୁଣା ଫର୍ମୁଲାରେ ବର୍ତ୍ତମାନ କଂଗ୍ରେସ ବାମପନ୍ଥୀଙ୍କ ଭରସାରେ ଅଛି । ସତୁରିଦଶକରେ ନନ୍ଦିନୀ ଶତପଥୀ କଂଗ୍ରେସ ଦଳର ମଙ୍ଗ ଧରିଥିବା ବେଳେ ବାମପନ୍ଥୀଙ୍କ ସହ ମେଣ୍ଟ ଭାଙ୍ଗିଯିବା ପରେ ନବୀନଙ୍କ ନେତୃତ୍ୱାଧୀନ ବିଜୁଜନତା ଦଳ ବାମପନ୍ଥୀଙ୍କ ସହ ମେଣ୍ଟ କରିବା ଲକ୍ଷ୍ୟରେ ଅଛି କଂଗ୍ରେସ । ଅତୀତରେ ନନ୍ଦିନୀ ଶତପଥୀ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ସଫଳତା ପାଇଥିବାରୁ ପୁରୁଣା ସଂପର୍କକୁ ଯୋଡ଼ି ନିରଂଜନ ବାମପନ୍ଥୀଙ୍କ ସହ ମେଣ୍ଟ କରିବା ଲକ୍ଷ୍ୟରେ ଅଛନ୍ତି । ଅବଶ୍ୟ ପୂର୍ବଭଳି ବାମପନ୍ଥୀ ଦଳର ଦବଦବା ନଥିଲେ ମଧ୍ୟ ସାଧାରଣରେ ବିଶ୍ୱାସ ସୃଷ୍ଟି କରିବା ପାଇଁ କଂଗ୍ରେସ ଏହିଭଳି ନୀତିକୁ ଆପଣାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଦଳୀୟ ଭାବେ ଏହା ଘୋଷଣା କରାଯାଇନଥିଲେ ମଧ୍ୟ ବିଭିନ୍ନ ଅଣରାଜନୈତିକ ମଞ୍ଚରେ ନିରଂଜନ ବାମପନ୍ଥୀନେତାଙ୍କ ସହ ଏକାଠି ହେବାର ଦେଖିବାକୁ ମିଳିଛି । ଖୋର୍ଦ୍ଧାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନିରଂଜନ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ବିଜେଡିର ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଓ ପଞ୍ଚାନନ କାନୁନ୍ଗୋଙ୍କ ସହିତ ଉପସ୍ଥିତ ଥିଲେ । ଆଗାମୀ ନିର୍ବାଚନରେ ଅସନ୍ତୁଷ୍ଟ ବିଜେଡି ଓ ବାମପନ୍ଥୀ ନେତାଙ୍କୁ ନେଇ କଂଗ୍ରେସ ମହାମେଣ୍ଟ କରିବାର ସୂଚନା ଏବେଠାରୁ ଦେଖିବାକୁ ମିଳିଲାଣି । ହେଲେ ଆଗାମୀ ନିର୍ବାଚନରେ ଏଭଳି ମେଣ୍ଟ ଯୋଗୁଁ କଂଗ୍ରେସ କେତେ ଲାଭବାନ ହେବ, ତାହା ସମୟ କହିବ । କିନ୍ତୁ ପୁରୁଣା ଫର୍ମୁଲାରେ କଂଗ୍ରେସକୁ କ୍ଷମତାସୀନ କରିବା ପାଇଁ ନିରଂଜନ ସୁଚିନ୍ତିତ ଗୋଟିଚାଳନା ଆରମ୍ଭ କରିଛନ୍ତି । ଯେଉଁଥିପାଇଁ ରାଜ୍ୟ ରାଜନୀତିରେ ଥଳକୂଳ ପାଉନଥିବା ବାମପନ୍ଥୀ ନିରାଶା ହୋଇଥିବା କଂଗ୍ରେସର ସାହାହେବା ପାଇଁ ଅଣ୍ଟା ିଡ଼ିଛି ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ନିରଂଜନ ପୁରୁଣା ଫର୍ମୁଲାରେ ଏହାକୁ କେତେଦୂର ସଫଳ କରିବେ, ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ରାଜ୍ୟ ରାଜନୀତିରେ ନିରଂଜନଙ୍କ ଏହି ରଣନୀତି ବର୍ତ୍ତମାନ କଂଗ୍ରେସ କର୍ମୀଙ୍କ ପାଇଁ ଉତ୍ସାହ ଯୋଗାଇଛି । ମହାନଦୀ ବଞ୍ଚାଅ ଆନ୍ଦୋଳନରେ ନବୀନଙ୍କ ସହ ବୁଝାମଣା କରିଥିବା ବାମପନ୍ଥୀ ଦଳ ବର୍ତ୍ତମାନ କଂଗ୍ରେସମୁହାଁ ହେବା ଯୋଗୁଁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ହେବ ବୋଲି ଜଣାପଡ଼ିଛି ।