Home ଦେଶ ବିଦେଶ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଆଗରୁ ଧରାପଡିଲେ ୪ ଜଣ ସନ୍ଦିଗ୍ଧ...

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଆଗରୁ ଧରାପଡିଲେ ୪ ଜଣ ସନ୍ଦିଗ୍ଧ !

0
ଭୁୁବନେଶ୍ୱର: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ସିବିଆଇରେ ଅନ୍ତଃକନ୍ଦଳ ଘଟଣା । ତେବେ ସରକାର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦେଇଥିବା ବେଳେ ଆଜି ତାଙ୍କ ଘର ସାମ୍ନାରୁ ଧରା ପଡିଛନ୍ତି ୪ ଜଣ ସନ୍ଦିଗ୍ଧ । ସେପଟେ ଆଜି ସକାଳୁ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଆଗରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳଛି । ଅନ୍ୟପଟେ ସେମାନଙ୍କ ସନ୍ଦେହଜନକ କାର‌୍ୟ୍ୟକଳାପ ଯୋଗୁଁ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ୪ ଜଣଙ୍କୁ ଧରି ଭିତରକୁ ନେଇ ପଚରା ଉଚରା କରିଥିଲେ ।ପରେ ପୋଲିସ ପହଁଚି ୪ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ସେମାନଙ୍କୁ ପଚରା ଉଚରା ଜାରି ରହିଥିବାବେଳେ ଅଟକ ଅଭିଯୁକ୍ତ ମାନଙ୍କ ପାଖରୁ ଗୁଇନ୍ଦା ବିଭାଗର ଆଇ କାର୍ଡ ମିଳିଥିବା ଜଣାପଡିଛି । ଏହି ୪ ଜଣଙ୍କ ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଗତକାଲି ରାତିରେ ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ ବର୍ମାଙ୍କ ବାସଭବନ ବାହାରେ ପହଁଚିଥିଲେ ବୋଲି ଜଣାପଡିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁଇ ସର୍ବୋଚ୍ଚ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କୁ ଗତକାଲି ଛୁଟିରେ ପଠାଇ ଦେଇଥିଲେ । ସେପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ସେପଟେ ସିବିଆଇ ମଧ୍ୟରେ ଦେଖା ଦେଇଥିବା ଅନ୍ତଃକନ୍ଦଳକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ବିଶେଷ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଘଟଣାକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଜସ୍ଥାନର ଏକ ଜନସଭାରେ ରାହୁଲ କହିଛନ୍ତି, ବିବାଦୀୟ ରାଫେଲ ଚୁକ୍ତି ଉପରେ ପ୍ରଶ୍ନ ଉଠାଉଥିଲେ ସିବିଆଇ ନିର୍ଦ୍ଦେଶକ । ଏହା ସହ ଏହି ମାମଲାର ତଦନ୍ତ ମଧ୍ୟ କରିବାକୁ ଚାହୁଁଥିଲେ ଆଲୋକ ବର୍ମା । ତେଣୁ ଅନ୍ତଃକନ୍ଦଳ ବାହାନାରେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି ।