Home Uncategorized ଓଡ଼ିଶାରେ ବଢୁଛି ମଦ୍ୟପଙ୍କ ସଂଖ୍ୟା , ବାର୍ଷିକ ବିକ୍ରିହେଉଛି ୧୬.୪୬ କୋଟି ଲିଟର

ଓଡ଼ିଶାରେ ବଢୁଛି ମଦ୍ୟପଙ୍କ ସଂଖ୍ୟା , ବାର୍ଷିକ ବିକ୍ରିହେଉଛି ୧୬.୪୬ କୋଟି ଲିଟର

ଭୁବନେଶ୍ୱର: ବଢୁଛି ମଦ ବିକ୍ରି । ଗଳି ଗଳିରେ ଖୋଲୁଛି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ । ମଦର କରାଳ ନିଶାରେ ପଡୁଛନ୍ତି ରାଜ୍ୟର ଯୁବ ଗୋଷ୍ଠୀ । ଉଜୁଡୁଛି ପାରିବାରିକ ସମ୍ପର୍କ । ଭାଙ୍ଗୁଛି ସ୍ୱାମୀ ସ୍ତ୍ରୀ ସଂସାର । ଖାଲି ସେତିକି ନୁହେଁ ଭୟଙ୍କର ହାରରେ ବଢୁଛି କିଡ୍ନୀ, ଲିଭର ଏବଂ ପାକସ୍ଥଳୀରୋଗୀଙ୍କ ସଂଖ୍ୟା । କିଡ୍ନୀ, ଲିଭର ଏବଂ ପାକସ୍ଥଳୀ ଖରାପ ପାଇଁ ଲିଭୁଛି ଅନେକ ସ୍ତ୍ରୀଙ୍କର ସିନ୍ଦୁର । ସଡ଼କ ଦୁର୍ଘଟଣାରେ ଯେତିକି ଲୋକ ମରୁଛନ୍ତି ସେଥିରୁ ଅଧିକାଂଶ ମଦ୍ୟପାନ ଜନିତ ବେପରୁଆ ଗାଡ଼ି ଚାଳନା ପାଇଁ ହେଉଛି । ଓଡ଼ିଶାରେ ଯେତିକି ହାରରେ ନୂଆ ସ୍କୁଲ ଖୋଲୁନି କି ନୂଆ ଡାକ୍ତରଖାନା ତିଆରି ହେଉନି ତାଠାରୁ ଅଧିକ ହାରରେ ଖୋଲୁଛି ମଦ ଦୋକାନ । ସମାଜର ଏତେ କ୍ଷତି ହେବା ସତ୍ତେ୍ୱ କାହିଁକି ଏତେ ମାତ୍ରାରେ ମଦ ଦୋକାନ ଖୋଲିବା ପାଇଁ ସରକାର ଅନୁମତି ଦେଉଛନ୍ତି ତାହା ଏକ ବଡ଼ ପ୍ରଶ୍ନ । ରାଜ୍ୟରେ ୨୦୦୧ ମସିହାରେ ଥିଲା ମାତ୍ର ୧୩ଟି ବିୟର ପାର୍ଲର । ହେଲେ ଏବେ ଏହି ସଂଖ୍ୟା ୧୦୫କୁ ଟପି ସାରିଲାଣି । ୧୭ ବର୍ଷରେ ନୂଆ ୯୨ଟି ବିୟର ପାର୍ଲର ତିଆରି ହୋଇଛି । ଅର୍ଥାତ୍ ବିୟର ପାର୍ଲର ସଂଖ୍ୟା ବଢ଼ିଛି ୭୦% ହାରରେ । ଯଦି ଫରେନ ଲିକରର ଦୋକାନକୁ ହିସାବକୁ ନିଆଯାଏ ତା ହେଲେ ମଧ୍ୟ ଏହି ସଂଖ୍ୟାରେ ବି ବଢ଼ିଛି ଆକାଶଛୁଅାଁ । ୨୦୦୧ ବେଳେ ଫରେନ ଲିକର ଅଫ ସପ ଏବଂ ଅନ ସପ ମିଶି ୭୫୩ଟି ଥିଲା । ଏବେ ସେହି ସଂଖ୍ୟା ଆସି ୧୪୯୩ରେ  ହେଲାଣି  । ୧୭ ବର୍ଷରେ ନୂଆ ୭୪୦ଟି ମଦ ଦୋକାନ ଖୋଲିଛି ଯାହା ଏକ ଉଦ୍ବେଗଜନକ ସଂଖ୍ୟା । ରାଜ୍ୟରେ ମଦ ବିକ୍ରି ହେବା ପରଠାରୁ ୨୦୦୧ ମସିହା ଭିତରେ ଯେତିକି ଦୋକାନ ଖୋଲାଯାଇଥିଲା ମାତ୍ର ୧୭ ବର୍ଷରେ ଏହି ସଂଖ୍ୟା ଏହାର ପାଖାପାଖି ହୋଇଗଲାଣି । ରାଜ୍ୟରେ ୨୦୦୦ ମସିହାରେ ଫରେନ ଲିଜର ବର୍ଷକୁ ୪୬ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହେଉଥିବାବେଳେ ଏବେ ଏହାର ବିକ୍ରି ପରିମାଣ ୫୦୦ ଲକ୍ଷ ଲିଟରରେ ପ ହେଲାଣି  । ମାତ୍ର ୧୮ ବର୍ଷରେ ଫରେନ ଲିକର ବିକ୍ରି ୧୧ ଗୁଣ ବଢ଼ିଗଲାଣି । ସେହିପରି ବିୟର ବିକ୍ରି ୨୦୦୦ ମସିହାରେ ୫୪ ଲକ୍ଷ ଲିଟର ଥିବାବେଳେ ଏବେ ଏହା ୪୮୫ ଲକ୍ଷ ଲିଟରରେ  ହେଲାଣି । ରାଜ୍ୟରେ ବାର୍ଷିକ ବିକ୍ରି ହେଉଥିବା ସମୁଦାୟ ଦେଶି, ବିଦେଶୀ ଏବଂ ବିୟର ମଦର ପରିମାଣ ହେଉଛି ୧୬ କୋଟି ୪୬ ଲକ୍ଷ ଲିଟର।