Home ଦେଶ ବିଦେଶ ଘାଟିତଳକୁ ବସ ଖସି ୩୩ ମୃତ

ଘାଟିତଳକୁ ବସ ଖସି ୩୩ ମୃତ

ରାୟଗଡ : ସେମାନେ ଖୁସି ମନରେ ପିକ୍ନିକ୍ କରିବା ପାଇଁ ଘରୁ ବାହରିଥିଲେ । ସାଙ୍ଗ ହୋଇ ସେଲ୍ଫି ନେଇଥିଲେ । ହେଲେ ଦଇବର ନିର୍ଦ୍ଦେଶ ଥିଲା ଅଲଗା । ସେ ଯାଉଥିବା ବସ୍ଟି ହେଲା ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ରର ରାୟଗଡ ଜିଲ୍ଲା ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହାବଳେଶ୍ୱରରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ୫୦୦ଫୁଟ ତଳକୁ ଖସି ପଡିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତ କରାଯାଇଛି । ସେ ହେଉଛନ୍ତି ଏକମାତ୍ରଯାତ୍ରୀ ଯେ କି ଏହି ଦୁର୍ଘଟଣାରେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଡାପୋଲି ସହରରେ ଥିବା ଡକ୍ଟର ବାଲାସାହେବ ସାୱନ କୋଙ୍କଣ କୃି ବିଦ୍ୟାପିଠର କର୍ମଚାରୀମାନେ ମହାବଳେଶ୍ୱରକୁ ପିକ୍ନିକ୍ ପାଇଁ ଏକ ବସ୍ରେ ଯାଉଥିବାବେଳେ ରାୟଗଡ ଜିଲ୍ଲାର ପୋଲରଦପୁରଠାରୁ ୨୨ କିମି ଦୂର ଦାଭିବ ହାବ ନିକଟରେ ବସ୍ଟି ଘାଟିର ୫୦୦ ଫୁଟତଳକୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସ୍ରେ ଥିବା ମୋଟ ୩୪ ଜଣଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ପ୍ରକାଶ ସାୱନ୍ତ ଦେଶାଇ ନାମକ ଜଣେ ଯାତ୍ରୀ ଆହତ ଅବସ୍ଥାରେ ଘାଟି ଉପରକୁ ଆସି ଏ ସଂପର୍କରେ ଖବର ଦେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ବସ୍ଟି ଘାଟିରୁ ଖସିବାବେଳେ ସେ ଝରକା ବାଟେ ବାହାରି ଏକ ଗଛରେ ଲାଖି ଯାଇଥିଲେ । ଖବର ମିଳିବା ପରେ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ପରେ ପୁନେରୁ ଏନଡିଆରଏଫ୍ଟି ମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ପୋଲିସ କହିଛି ଯେ, ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏଭଳି ଅଘଟଣ ଘଟିଛି । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଭୀର ଶୋକପ୍ରକାଶ କରାଯାଇ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି ।